ଖେଳ ଯୋଡ଼େ ସମାଜ, ବଢ଼ାଏ ଭାଇଚାରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳ ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍‌ଭାବନା ସୃଷ୍ଟି ହୁଏ। ଖେଳମୈଦାନରେ ଜିତିବା କିମ୍ବା ହାରିବାଠାରୁ ବଡ଼ କଥା ହେଉଛି ‘ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍’। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଟାଟା ଷ୍ଟିଲର ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମିଡିଆ-୧୧ ଚାମ୍ପିୟନ ହୋଇଥିବା ବେଳେ ଅଫିସର୍ସ-୧୧ ରନର୍ସଅପ୍ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚୀନ୍‌ରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି-୨୦୨୬ରେ ଚାମ୍ପିୟନ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ୭ ଜଣ ପୁରୁଷ ଓ ୩ ଜଣ ମହିଳା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୧.୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ଖେଳ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ ହୁଏ। ଖେଳୁଆଡ଼ ମନୋଭାବ ଓ ଭାଇଚାରା ଏକ ସୁସ୍ଥ ସମାଜର ମୂଳଦୁଆ। ଏଭଳି ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରି ଟାଟା ଷ୍ଟିଲ୍ ନିଜ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଉଥିବାରୁ ସେ ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଟାଟା ଷ୍ଟିଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (କର୍ପୋରେଟ୍‌ ସର୍ଭିସେସ୍) ଡି.ବି. ସୁନ୍ଦର ରମମ୍‌ଙ୍କ ସମେତ ବହୁ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial