ଭୁବନେଶ୍ୱର: ସମ୍ବଲପୁରରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଆଶାକୁ ବଡ଼ ଝଟକା ଲାଗିଥିବା ସୂଚନା ମିଳିଛି। ସମ୍ବଲପୁରରେ ନୂଆ AIIMS ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ କରିଥିବା ଅନୁରୋଧର ଜବାବରେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଚିଠି ଲେଖିଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ସମ୍ବଲପୁରରେ ନୂଆ ଏମ୍ସ ପରିବର୍ତ୍ତେ ରାଜ୍ୟର ଥିବା ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ଦାବି ହେଉଛି। ୨୦୨୪ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ମାଝୀ ସମ୍ବଲପୁରରେ ଏମ୍ସ ସ୍ଥାପନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ପରେ ସମ୍ବଲପୁରରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମଧ୍ୟ ସେ ଓଡ଼ିଶାର ଦ୍ୱିତୀୟ ଏମ୍ସ ସମ୍ବଲପୁରରେ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଥିଲେ।
ତେବେ ଏବେ କେନ୍ଦ୍ରର ଜବାବକୁ ନେଇ ଏହି ଦାବି ପୁଣି ଚର୍ଚ୍ଚାରେ। ଚିଠିରେ ସମ୍ବଲପୁର ପାଇଁ ନୂଆ AIIMS ସ୍ଥାପନ ନିମନ୍ତେ ପ୍ରସ୍ତାବିତ ବଜେଟରେ ବ୍ୟବସ୍ଥା ନଥିବା ଏବଂ ରାଜ୍ୟର ତିନିଟି ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଥିବା ଦାବି କରାଯାଉଛି। ଓଡ଼ିଶାରେ ବର୍ତ୍ତମାନ AIIMS ଭୁବନେଶ୍ୱର କାର୍ଯ୍ୟକ୍ଷମ ଥିବା ବେଳେ, ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ଉନ୍ନତ ଚିକିତ୍ସା ସେବା ପାଇଁ ସମ୍ବଲପୁରରେ AIIMS ପ୍ରତିଷ୍ଠା ଦାବି ଦୀର୍ଘଦିନ ଧରି ରହିଛି। ଏହି ପ୍ରସ୍ତାବକୁ ନେଇ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ, ଏବଂ ସମ୍ବଲପୁରରେ ଦ୍ୱିତୀୟ AIIMS ଦାବି ନେଇ କେନ୍ଦ୍ର ସହ ଆଗକୁ ଆଲୋଚନା କିମ୍ବା ପଦକ୍ଷେପ ହେବ କି ନାହିଁ—ଏବେ ତାହା ଉପରେ ନଜର।














Leave a Reply