ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ୱରରେ ବନ୍ୟା ବିପତ୍ତି

ବାଲେଶ୍ୱର: ଉତ୍ତର ବାଲେଶ୍ୱରରେ ପୁଣି ଭୟଙ୍କର ହେଉଛି ବନ୍ୟା ସ୍ଥିତି। ବିପଦ ସଙ୍କେତ ଅତିକ୍ରମ କରି ଦ୍ରୁତ ଗତିରେ ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଚଳିତ ବର୍ଷ ସୁବର୍ଣ୍ଣରେଖାର ଏହା ଚତୁର୍ଥ ବନ୍ୟା। ନଦୀର ଜଳସ୍ତର ବଢ଼ିବା ସହ ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶତାଧିକ ଗାଁ ଏବେ ବନ୍ୟାଜଳ ଘେରରେ ରହିଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। କିନ୍ତୁ ଆଜି ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୧୧.୬୮ ମିଟରରେ ପ୍ରବାହିତ ହେଉଛି। ଫଳରେ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଆହୁରି ଘନୀଭୂତ ହୋଇଛି।

ପୂର୍ବରୁ ଆସିଥିବା ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଥିଲା। ଏବେ ପୁଣି ନଦୀର ଜଳସ୍ତର ବଢ଼ିବାରୁ ଚାଷୀଙ୍କ ସମେତ ନଦୀକୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ଅନେକ ସ୍ଥାନରେ ରାସ୍ତା ଉପରେ ୪ ଫୁଟରୁ ଅଧିକ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟାଜଳ ଯୋଗୁଁ ଅନେକ ଅଞ୍ଚଳରେ ଲୋକଙ୍କ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଯାତାୟାତ ପାଇଁ ଲୋକମାନେ ବାଧ୍ୟ ହୋଇ ଦେଶୀ ଡଙ୍ଗା ଓ ପାୱାର ବୋଟ୍‌ର ସହାୟତା ନେଉଛନ୍ତି। ଚଳିତ ବର୍ଷର ଚତୁର୍ଥ ବନ୍ୟା ପରିସ୍ଥିତି ଉତ୍ତର ବାଲେଶ୍ୱରରେ ନଦୀକୂଳିଆ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial