ମଦ ଦୋକାନକୁ ବିରୋଧ କରିବାରୁ ମହିଳାଙ୍କୁ ମାଡ଼! ଅଠରନଳାରେ ଉତ୍ତେଜନା

ପୁରୀ: ମଦ ଦୋକାନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରାଯାଇଥିବା ଅଭିଯୋଗ। ପୁରୀ ସହରର ପ୍ରବେଶ ପଥ ଅଠରନଳା ନିକଟରେ ନୂଆ କରି ଖୋଲିଥିବା ମଦ ଦୋକାନ ସମ୍ମୁଖରେ ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଛି। ଆକ୍ରମଣରେ ଅଠରନଳାର ଦୀପାଳି ପାତ୍ର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅଠରନଳା ନିକଟରେ ନୂଆ କରି ଖୋଲିଥିବା ମଦ ଦୋକାନକୁ ନେଇ ସ୍ଥାନୀୟ ମହିଳାମାନେ ବିରୋଧ କରୁଥିଲେ। ଶତାଧିକ ମହିଳା ମଦ ଦୋକାନ ସମ୍ମୁଖରେ ବସି ଏହାର ପ୍ରତିବାଦ କରୁଥିଲେ।

ଏହି ସମୟରେ ବିଜୟ କୁମାର ବାରିକ ସେଠାକୁ ମଦ କିଣିବା ପାଇଁ ଆସିଥିବା ଅଭିଯୋଗ ହୋଇଛି। ମହିଳାମାନେ ମଦ ଦୋକାନକୁ ବିରୋଧ କରିବାରୁ ବିଜୟ ଦୀପାଳି ପାତ୍ରଙ୍କ ସହ ଯୁକ୍ତିତର୍କ କରିବା ପରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦୀପାଳି ଆହତ ହେବା ପରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି। ଘଟଣାକୁ ନେଇ ବିଜୟ କୁମାର ବାରିକଙ୍କ ନାମରେ ପୁରୀ ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଠରନଳା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial