ଭୁବନେଶ୍ୱର: ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ମାଥିଲି ବ୍ଲକ୍ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଶିଶିର କୁମାର ଦାଶଙ୍କ ସମ୍ପର୍କିତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିରେ ଏହି ତଲାସି ଅଭିଯାନ ଜାରି ରହିଛି।
ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ଚାରି ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା ଏବଂ ଗଞ୍ଜାମ ବାସୁଦେବପୁରସ୍ଥିତ ଏକ ଘରେ ଭିଜିଲାନ୍ସ ଟିମ୍ ତଲାସି କରୁଛି।
ସେହିପରି ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ା ଘର ଏବଂ ଡିଆରଡିଏ, ମାଲକାନଗିରିସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଛି। ତଲାସି ସମୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ବିଭିନ୍ନ ଦସ୍ତାବିଜ, ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି। ଚଢ଼ାଉ ଶେଷ ହେବା ପରେ ସମ୍ପତ୍ତିର ପରିମାଣ ଓ ତଲାସିରୁ ମିଳିଥିବା ତଥ୍ୟ ସମ୍ପର୍କରେ ଅଧିକ ସୂଚନା ସାମ୍ନାକୁ ଆସିପାରେ।














Leave a Reply