ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ସେ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ-କନ୍ଧମାଳ ସୀମାନ୍ତର କଳିଙ୍ଗା ଘାଟିରେ ପହଞ୍ଚି ଭୂସ୍ଖଳନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ଘାଟିରେ ବାରମ୍ବାର ମାଟି ଅତଡ଼ା ଧସୁଥିବାରୁ ଯାତାୟାତ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଗତ ୪ ଦିନ ମଧ୍ୟରେ କଳିଙ୍ଗା ଘାଟିରେ ୩ ଥର ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ରାସ୍ତା ଉପରକୁ ମାଟି ଅତଡ଼ା ଧସିଆସୁଥିବାରୁ ଘାଟି ଅଞ୍ଚଳର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ସେ କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ, ଅପରାହ୍ନରେ ହେଲିକପ୍ଟର ଯୋଗେ ନବରଙ୍ଗପୁର ଯାଇ ବନ୍ୟା ସ୍ଥିତି ପରଖିବେ। ଦକ୍ଷିଣ ଓଡ଼ିଶାର ବିଭିନ୍ନ ବନ୍ୟାଞ୍ଚଳର ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଛନ୍ତି। ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଗାମୀ ପଦକ୍ଷେପ ନେଇ ନଜର ରହିଛି।














Leave a Reply