ଉତ୍ତର ଓଡ଼ିଶାରୁ ଟଳିନି ବନ୍ୟା ବିପଦ, ୫ ଫୁଟ୍ ପାଣିରେ ଜଳବନ୍ଦୀ ଗାଁ

ଭଦ୍ରକ: ନଦୀର ଜଳସ୍ତର କମୁଛି, ହେଲେ ଉତ୍ତର ଓଡ଼ିଶାରୁ ଟଳିନି ବନ୍ୟା ବିପଦ। ବୈତରଣୀ ନଦୀର ବନ୍ୟାଜଳ ଏବେ ବି ଭଦ୍ରକ ଧାମନଗର ବ୍ଲକର କୋଠାର ପଞ୍ଚାୟତର ବିଭିନ୍ନ ଗାଁକୁ ଘେରି ରହିଛି। ନୂଆ ମଳିକ ସାହିରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଗାଁ ଭିତରେ ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟାଜଳ ଚାଲୁଥିବା ବେଳେ ଘର ଭିତରେ ପଶିଛି ପ୍ରାୟ ୩ ଫୁଟ୍ ପାଣି। ଏହାରି ମଧ୍ୟରେ ନୂଆ ମଳିକ ସାହିର ପ୍ରାୟ ୫୦ଟି ପରିବାରର ୨୫୦ରୁ ଅଧିକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ବନ୍ୟାଜଳ ଘେରି ରହିଥିବାରୁ ଗାଁବାସୀଙ୍କ ସାଧାରଣ ଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

ଭୋକ ଉପାସରେ ଜଳବନ୍ଦୀ ପରିବାର

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲିଠାରୁ ଅନେକ ପରିବାର ଭୋକ ଉପାସରେ ରହିଛନ୍ତି। ଏପର୍ଯ୍ୟନ୍ତ ଗାଁରେ ଶୁଖିଲା ଖାଦ୍ୟ କିମ୍ବା ଆବଶ୍ୟକ ସାମଗ୍ରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି। ବନ୍ୟାଜଳରେ ରାସ୍ତା ବୁଡ଼ି ଯାଇଥିବାରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଛାତିଏ ପାଣିରେ ପଶି ବାହାରକୁ ଯାଉଛନ୍ତି।

ସହାୟତାକୁ ଅପେକ୍ଷାରେ ବନ୍ୟା ପ୍ରଭାବିତ

ବନ୍ୟାଜଳ ଘେରି ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିବାକୁ କେହି ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନଦୀରୁ ପାଣି କମୁଥିଲେ ମଧ୍ୟ ଗାଁରେ ଜମି ରହିଥିବା ବନ୍ୟାଜଳ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial