ଭଦ୍ରକ: ଚଳିତ ବର୍ଷ ଷଷ୍ଠ ଥର ପାଇଁ ବନ୍ୟାରେ ଘାଣ୍ଟି ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍। ବନ୍ୟା ପାଣି ଘେରରେ ରହି ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଦିନ ଓ ରାତି ପାଣି ଭିତରେ କାଟୁଥିବା ବେଳେ ସାପ ସମେତ ବିଭିନ୍ନ ହିଂସ୍ର ଜୀବଙ୍କ ଭୟ ମଧ୍ୟ ଲୋକଙ୍କୁ ଘାରିଛି। ଏଭଳି ସ୍ଥିତିରେ ବନ୍ୟା ଘେରରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଜୋରଦାର କରାଯାଇଛି। ଆଜି ବାସୁଦେବପୁର ପୌରପାଳିକାର ୨୨ ନମ୍ବର ୱାର୍ଡରେ ବ୍ଲକ୍ ଓ ପୌର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ବନ୍ୟା ପାଣି ଘେରରେ ଫସିଥିବା ଲୋକଙ୍କୁ ଡଙ୍ଗା ଓ ଅନ୍ୟାନ୍ୟ ଉଦ୍ଧାରକାରୀ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। କେବଳ ମଣିଷ ନୁହେଁ, ବନ୍ୟା ଘେରରେ ଫସିଥିବା ଗୃହପାଳିତ ପଶୁଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି ଅଗ୍ନିଶମ କର୍ମଚାରୀ।
ବିଶେଷକରି ୨୨ ନମ୍ବର ୱାର୍ଡରେ ଆଜି ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଡଙ୍ଗା ଯୋଗେ ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚି ଲୋକଙ୍କ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି। ଉଦ୍ଧାରକାରୀ ଦଳର ଏହି ପଦକ୍ଷେପରେ ଆଶ୍ୱସ୍ତ ହୋଇଛନ୍ତି ବନ୍ୟା ବିପନ୍ନ। ତେବେ ବନ୍ୟା ପାଣି କେବେ କମିବ ଏବଂ କେବେ ସ୍ୱାଭାବିକ ଜୀବନକୁ ଫେରିବେ ଅଞ୍ଚଳବାସୀ, ତାହାକୁ ନେଇ ଚିନ୍ତା ବଢ଼ିଛି। ବନ୍ୟା ସ୍ଥିତି ଉପରେ ପ୍ରଶାସନ ନଜର ରଖିବା ସହ ଆବଶ୍ୟକତା ଅନୁଯାୟୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।














Leave a Reply