ଗାଁ ରାସ୍ତାରେ କଲରାପତରିଆ ବାଘ! କାର୍ ଲାଇଟ୍‌ରେ କଏଦ ହେଲା ଭିଡିଓ, ଆତଙ୍କିତ ନୂଆପଡ଼ାବାସୀ

ନୂଆପଡ଼ା: ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ନୂଆପଡ଼ା ଜିଲ୍ଲାର ଖୁଟବନଭେରା-ପତୋରା ମୁଖ୍ୟ ରାସ୍ତାରେ ରାତିରେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରାସ୍ତା କଡ଼ରେ ବାଘକୁ ଦେଖି ଜଣେ ବ୍ୟକ୍ତି କାର୍ ଅଟକାଇଥିବା ବେଳେ ଗାଡ଼ିର ଆଲୋକରେ ବାଘର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାତିରେ ଜଣେ ବ୍ୟକ୍ତି ଗାଡ଼ି ଯୋଗେ ଖୁଟବନଭେରା-ପତୋରା ରାସ୍ତା ଦେଇ ଯାଉଥିଲେ। ହଠାତ୍ ରାସ୍ତା କଡ଼ରେ ତାଙ୍କ ନଜର ପଡ଼ିଥିଲା ଏକ କଲରାପତରିଆ ବାଘ ଉପରେ। ବାଘକୁ ଦେଖି ସେ କିଛି ସମୟ ପାଇଁ କାର୍ ଅଟକାଇଥିଲେ। ଗାଡ଼ିର ଆଲୁଅରେ ରାସ୍ତା କଡ଼ରେ ଥିବା ବାଘର ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ପରେ ବାଘଟି ରାସ୍ତା ପାର୍ ହୋଇ ଅନ୍ୟତ୍ର ଚାଲିଯାଇଥିବା ଜଣାପଡ଼ିଛି।

ଗାଁ ନିକଟରେ ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ବିଶେଷକରି ରାତିରେ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ବାଘଟି କେଉଁ ଅଞ୍ଚଳରୁ ଆସିଛି ଏବଂ ବର୍ତ୍ତମାନ କେଉଁଠି ରହିଛି, ତାହା ଜଣାପଡ଼ିନଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢ଼ିଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖିବା ଏବଂ ଏହା କେଉଁ ଦିଗକୁ ଯାଇଛି, ତାହା ଯାଞ୍ଚ କରିବାକୁ ଦାବି ହୋଇଛି। ଗାଁ ଓ ରାସ୍ତା ନିକଟରେ ବନ୍ୟଜନ୍ତୁର ଉପସ୍ଥିତି ଥିବାରୁ ସ୍ଥାନୀୟ ଲୋକଙ୍କୁ ବିଶେଷକରି ରାତିରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial