ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ: ଡିଜିଟାଲ୍ ନିର୍ମାଣ ସହ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଉପରେ ମାନସମନ୍ଥନ

ଭୁବନେଶ୍ୱର: ଡିଜିଟାଲ୍ ନିର୍ମାଣ କ୍ଷେତ୍ରରେ ସ୍ଥାୟିତ୍ୱ, ନୂଆ ଜ୍ଞାନକୌଶଳର ବ୍ୟବହାର ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣକୁ ନେଇ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ଦେଶ-ବିଦେଶର ୨୫୦ରୁ ଅଧିକ ଗବେଷକ, ଶିକ୍ଷାବିତ୍ ଓ ଶିଳ୍ପ ବିଶେଷଜ୍ଞ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଜର୍ମାନୀ, ଦକ୍ଷିଣ ଆଫ୍ରିକା, ଆମେରିକା, ସିଙ୍ଗାପୁର ଓ ବ୍ରିଟେନ୍‌ ସମେତ ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି। ନିର୍ମାଣ କ୍ଷେତ୍ରକୁ ଅଧିକ ପରିବେଶ-ଅନୁକୂଳ ଓ ସ୍ଥାୟୀ କରିବା ପାଇଁ ନୂଆ ପ୍ରଯୁକ୍ତିର ବ୍ୟବହାର ଏହି ସମ୍ମିଳନୀର ପ୍ରମୁଖ ଆଲୋଚ୍ୟ ବିଷୟ ପାଲଟିଛି।

ବିଶେଷ କରି ଗ୍ରୀନ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), 3D ପ୍ରିଣ୍ଟିଂ କଂକ୍ରିଟ୍ ଏବଂ ଜିଓପଲିମର୍ ଭଳି ଆଧୁନିକ ଓ ପରିବେଶ-ଅନୁକୂଳ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ କିଭଳି ବ୍ୟବହାର କରାଯାଇପାରିବ, ସେନେଇ ବିଶେଷଜ୍ଞମାନେ ମତ ବିନିମୟ କରୁଛନ୍ତି। ଏହା ସହିତ ଡିଜିଟାଲ୍ ନିର୍ମାଣ ପ୍ରଯୁକ୍ତି ଓ ଐତିହ୍ୟସମ୍ପନ୍ନ ନିର୍ମାଣର ସଂରକ୍ଷଣ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହେଉଛି।

ସମ୍ମିଳନୀରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ, ଜଳ ସ୍ଥାୟିତ୍ୱ ଏବଂ ଗ୍ରାମୀଣ ବିକାଶ ଭଳି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ବୈଷୟିକ ଅଧିବେଶନ ମଧ୍ୟ ଆୟୋଜିତ ହେଉଛି। ପରିବର୍ତ୍ତିତ ଜଳବାୟୁ ଓ ବଢୁଥିବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭବିଷ୍ୟତର ଭିତ୍ତିଭୂମିକୁ କିଭଳି ଅଧିକ ସୁଦୃଢ଼ ଓ ସ୍ଥାୟୀ କରାଯାଇପାରିବ, ତାହା ଉପରେ ମଧ୍ୟ ମାନସମନ୍ଥନ ଚାଲିଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ଅନ୍ତର୍ଜାତୀୟ ମଞ୍ଚରେ ଗବେଷଣା, ଶିକ୍ଷା ଓ ଶିଳ୍ପ କ୍ଷେତ୍ରର ଅଭିଜ୍ଞତା ବିନିମୟ ସହ ଭବିଷ୍ୟତର ସ୍ଥାୟୀ ନିର୍ମାଣ ପାଇଁ ନୂଆ ଚିନ୍ତାଧାରା ଓ ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial