ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଲିମପଡ଼ା ସରକାରୀ ସ୍କୁଲରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅନୁଚିତ ଭାବେ ଯୋଗାଯୋଗ ଓ ଚାପ ପକାଇବା ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶିକ୍ଷକ ଟେକର ସିଂ ମାଝୀ (୨୮)ଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ବଡ଼ପତ୍ରାପାଲି ଗାଁର ଟେକର ସିଂ ମାଝୀ କିଛି ବର୍ଷ ହେବ ଲିମପଡ଼ା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ। ଅଭିଯୋଗ ହେଉଛି, କିଛି ମାସ ହେଲା ସେହି ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସେ ବାରମ୍ବାର ମୋବାଇଲ୍ରେ ବ୍ୟକ୍ତିଗତ ବାର୍ତ୍ତା ପଠାଉଥିଲେ ଓ ଫୋନ୍ କରୁଥିଲେ। ଏଥିସହ ଏକାନ୍ତରେ ଦେଖା କରିବାକୁ ଚାପ ପକାଇଥିବା ଏବଂ ଏହାକୁ ନେଇ ଛାତ୍ରୀଙ୍କୁ ମାରପିଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଥମେ ଘଟଣା ସମ୍ପର୍କରେ ଛାତ୍ରୀ ଭୟରେ ଚୁପ୍ ରହିଥିବା କୁହାଯାଉଛି। ଛାତ୍ରୀଙ୍କ ବାପା ଓ ମା’ ଜୀବିକା ପାଇଁ ତାମିଲନାଡୁ ଯାଇଥିବା ବେଳେ ସେ ଗାଁରେ କାକାଙ୍କ ପରିବାର ସହ ରହି ପାଠ ପଢୁଥିଲେ। ଶିକ୍ଷକଙ୍କ ଆଚରଣ ବିଷୟରେ ଜାଣିବା ପରେ ଛାତ୍ରୀଙ୍କ କାକା ସ୍କୁଲକୁ ଯାଇ ତାଙ୍କୁ ତାଗିଦ କରିଥିଲେ ବୋଲି ଜଣାପଡ଼ିଛି।
ପରେ ଛାତ୍ରୀଙ୍କ କାକା ମୋବାଇଲ୍ରେ ଥିବା ଚାଟିଂ ଓ ଅନ୍ୟାନ୍ୟ ତଥ୍ୟ ସହ ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ୍ ନମ୍ବର ୧୯୬/୨୬ ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଶିକ୍ଷକଙ୍କୁ ଆଜି କୋର୍ଟଚାଲାଣ କରାଯିବ। ମାମଲାରେ ଡିଜିଟାଲ୍ ପ୍ରମାଣ ସହ ଅନ୍ୟାନ୍ୟ ଦିଗରୁ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।














Leave a Reply