କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜୁପୁର ଗାଁର ଶୁଭଶ୍ରୀ ଦାସଙ୍କ ନିଖୋଜ ଓ ମୃତ୍ୟୁକୁ ନେଇ ରହସ୍ୟ ଘନୀଭୂତ ହେଉଛି। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଶୁଭଶ୍ରୀଙ୍କ ମୃତଦେହର ସନ୍ଧାନ ମିଳୁନାହିଁ। ଅନ୍ୟପକ୍ଷରେ ତାଙ୍କ ମୃତ୍ୟୁ କିପରି ହେଲା ଏବଂ ମୃତଦେହ କୁଆଡ଼େ ଗଲା, ତାହାର ଖିଅ ମଧ୍ୟ ପୁଲିସ ଖୋଜିପାରିନାହିଁ।
ଶୁଭଶ୍ରୀଙ୍କ ପରିବାରର ଆଉ ୩ ଜଣଙ୍କ ସମେତ ମୋଟ ୮ ଜଣଙ୍କୁ ପୁଲିସ ଥାନାକୁ ନେଇଛି। ଗତ ୨ ଦିନ ଧରି ସେମାନଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ଓ ଶୁଭଶ୍ରୀଙ୍କ ମୃତଦେହ ସମ୍ପର୍କରେ ତଥ୍ୟ ହାସଲ ପାଇଁ ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି। ଏପଟେ ଶୁଭଶ୍ରୀଙ୍କ ମୃତଦେହ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ହଂସୁଆ ନଦୀରେ ଦୁଇ ଦିନ ଧରି ସନ୍ଧାନ ଅଭିଯାନ ଚାଲିଛି। ତେବେ ଏଯାଏଁ କୌଣସି ସଫଳତା ମିଳିନାହିଁ। ଫଳରେ ମାମଲାର ରହସ୍ୟ ଆହୁରି ଘନୀଭୂତ ହୋଇଛି।
ଅନ୍ୟପକ୍ଷରେ, କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଅନୁଯାୟୀ, ଶୁଭଶ୍ରୀଙ୍କ ମୃତଦେହରେ ପଥର ବାନ୍ଧି ମଝି ନଦୀରେ ଫିଙ୍ଗି ଦିଆଯାଇଥିବା କୁହାଯାଉଛି। ତେବେ ଏହି ଦାବିର ସତ୍ୟତା ଏପର୍ଯ୍ୟନ୍ତ ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇନାହିଁ। ମୃତଦେହ ଉଦ୍ଧାର ହେଲେ ହିଁ ଘଟଣାର ଅନେକ ପ୍ରଶ୍ନର ଉତ୍ତର ମିଳିପାରିବ। ଘଟଣାକୁ ନେଇ କେନ୍ଦ୍ରାପଡ଼ା ଏସ୍ପିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ ପଚରାଉଚରା, ନଦୀରେ ସନ୍ଧାନ ଓ ଅନ୍ୟାନ୍ୟ ସୂତ୍ରରୁ ତଥ୍ୟ ସଂଗ୍ରହ ଜାରି ରଖିଥିବା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ ଉପରୁ କେବେ ପରଦା ହଟିବ, ତା’ଉପରେ ଏବେ ସମସ୍ତଙ୍କ ନଜର।














Leave a Reply