ପାର୍ବଣ ପୂର୍ବରୁ ପୁଲିସ୍ ଆକ୍ସନ୍‌: ଧଉଳି ସଂଘବଦ୍ଧ ଆକ୍ରମଣ ମାମଲାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ଧଉଳି ଥାନା ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଗତ ୧୩ ତାରିଖରେ ଆକ୍ରମଣ କରି ଫେରାର ଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧଉଳି ଥାନା ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ସୁରକ୍ଷାକର୍ମୀଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି।

ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ୬ଟି ଗାଡ଼ିରେ ୧୫ରୁ ଅଧିକ ଯୁବକ ଆସି ଧଉଳି ଥାନା ଅଞ୍ଚଳରେ ଆକ୍ରମଣ କରିଥିଲେ। ଏହି ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆକ୍ରମଣ ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଇଥିଲା। ଛାନଭିନ୍ ପରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏବେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୧୫ରୁ ଅଧିକ ଯୁବକଙ୍କ ମଧ୍ୟରୁ ଅନେକ ଏବେ ବି ଫେରାର ଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ଧଉଳି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜ୍‌ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଅନ୍ୟମାନଙ୍କ ପରିଚୟ ଓ ଠିକଣା ଖୋଜାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial