ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନ୍‌ରେ ୫ ଶିଶୁ ଓରାଙ୍ଗଉଟାନ୍, CZAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ନନ୍ଦନକାନନରେ ୯୦ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଶିଶୁ ଓରାଙ୍ଗଉଟାନ୍। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (CZA)ର ପରାମର୍ଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ବାୟୋ-ସିକ୍ୟୁରିଟି ବ୍ୟବସ୍ଥା ଅନୁସାରେ ଶିଶୁ ଓରାଙ୍ଗଉଟାନ୍‌ମାନଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ, ଆଚରଣ ଓ ଶାରୀରିକ ବିକାଶ ଉପରେ ନିୟମିତ ନଜର ରଖାଯିବ। ଗତ ସେପ୍ଟେମ୍ବରରେ ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରୁ ୫ଟି ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ଉଦ୍ଧାର କରାଯାଇଥିଲା। ସେମାନେ କିପରି ଓଡ଼ିଶାର ଜଙ୍ଗଲରେ ପହଞ୍ଚିଲେ, ତାହାକୁ ନେଇ ବନ୍ୟଜନ୍ତୁ ଚୋରାଚାଲାଣର ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା। ଉଦ୍ଧାର ପରେ ସେମାନଙ୍କୁ ନନ୍ଦନକାନନକୁ ଅଣାଯାଇ ସ୍ୱତନ୍ତ୍ର ଯତ୍ନରେ ରଖାଯାଇଛି।

CZAର ପରାମର୍ଶ ଅନୁଯାୟୀ, ସମସ୍ତ ୫ଟି ଓରାଙ୍ଗଉଟାନ୍‌ଙ୍କୁ ୯୦ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଗୋଟିଏ ପ୍ରାଣୀଠାରୁ ଅନ୍ୟ ପ୍ରାଣୀକୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କାକୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କ୍ୱାରେଣ୍ଟାଇନ୍ ସମୟରେ ସାଧାରଣ ଲୋକ କିମ୍ବା ଅନ୍ୟ କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ରହିବ। କେବଳ ଯତ୍ନ ନେଉଥିବା କେୟାରଗିଭର ଓ ପ୍ରାଣୀ ଚିକିତ୍ସକଙ୍କୁ କ୍ୱାରେଣ୍ଟାଇନ୍ ଅଞ୍ଚଳକୁ ଯିବାକୁ ଅନୁମତି ମିଳିବ। ନନ୍ଦନକାନନ ଡେପୁଟି ଡାଇରେକ୍ଟର ପ୍ରଦୀପ ମିରାସେଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ୫ ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ଯେଉଁ ହ୍ୟାଣ୍ଡ ରିୟରିଂ ସେଣ୍ଟର (HRC)ରେ ରଖାଯାଇଛି, ସେହି ଅଞ୍ଚଳରେ ହିଁ ସେମାନଙ୍କ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯିବ। HRC ନିକଟରେ ଏକ ବଡ଼ ଖୋଲା ଆକାଶ ଥିବା ଓପନ୍ ଏନକ୍ଲୋଜର ମଧ୍ୟ ରହିଛି।

ବୈଷୟିକ କମିଟିର ପରାମର୍ଶ ମିଳିବା ପରେ ଦିନ ସମୟରେ ଶିଶୁ ଓରାଙ୍ଗଉଟାନ୍‌ମାନଙ୍କୁ ଏହି ଖୋଲା ଏନକ୍ଲୋଜରକୁ ନିଆଯିବ। ଏହାଦ୍ୱାରା ସେମାନେ ଧୀରେ ଧୀରେ ନନ୍ଦନକାନନର ପରିବେଶ ଓ ଖୋଲା ପରିସର ସହ ଅଭ୍ୟସ୍ତ ହୋଇପାରିବେ। ୯୦ ଦିନର କ୍ୱାରେଣ୍ଟାଇନ୍ ଅବଧିରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଓ ବିକାଶ ଉପରେ ନିୟମିତ ନଜର ରଖିବେ। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ୫ ଶିଶୁ ଓରାଙ୍ଗଉଟାନ୍‌ଙ୍କ ପରବର୍ତ୍ତୀ ରହଣି ଓ ପରିଚାଳନା ନେଇ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial