ଚେନ୍ନାଇରେ ରହିଗଲା ଦାଦନ ଶ୍ରମିକଙ୍କ ଶବ, ଶେଷକୃତ୍ୟ ଅପେକ୍ଷାରେ ପୁରା ଗାଁ

ପୁରୀ: ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେନି ୨୦ ବର୍ଷୀୟ ଯୁବକ। ଚେନ୍ନାଇରେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ପରେ ଏବେ ଶବ ଅପେକ୍ଷାରେ ପରିବାର। ଏପଟେ ଭାଇଙ୍କ ମୃତଦେହ ଘରକୁ ଆଣିବା ପାଇଁ ପରିବାର ପାଖରେ ନାହିଁ ଆବଶ୍ୟକ ଅର୍ଥ। ଫଳରେ ଚେନ୍ନାଇରେ ପଡ଼ିରହିଛି ମୃତଦେହ, ଆଉ ଏଠାରେ ଶେଷକୃତ୍ୟ ଅପେକ୍ଷାରେ ପୂରା ଗାଁ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚକ୍ରକୁଦ ଗାଁର ୨୦ ବର୍ଷୀୟ ରାହୁଲ କାଣ୍ଡି ଦାଦନ ଶ୍ରମିକ ଭାବେ ଚେନ୍ନାଇ ଯାଇଥିଲେ। ସେଠାରେ ସନ୍ଦେହଜନକ ଅବସ୍ଥାରେ ରାହୁଲଙ୍କ ମୃତ୍ୟୁ ଘଟିଛି। ଗତ ଶନିବାରଠାରୁ ଚେନ୍ନାଇର କୋରତୁର ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରି ରଖିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ପରିବାର ଲୋକେ ଥାନାକୁ ଯାଇ ଆବଶ୍ୟକ ଦସ୍ତଖତ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦିଆଯାଇଛି। ହେଲେ ରାହୁଲଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଏତେ ଦୂର ଚେନ୍ନାଇ ଯାଇ ଭାଇଙ୍କ ମୃତଦେହ ଆଣିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି କହିଛନ୍ତି ରାହୁଲଙ୍କ ବଡ଼ ଭାଇ ପ୍ରଳୟ କାଣ୍ଡି।

ଘଟଣା ଜଣାପଡ଼ିବା ପରେ ପୁରୀ ଜିଲ୍ଲା ଲେବର ଅଧିକାରୀ ଚକ୍ରକୁଦ ଗାଁକୁ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ପରିବାରକୁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଗତ ଶନିବାରଠାରୁ ଏପର୍ଯ୍ୟନ୍ତ ପରିବାରର ୫୦ରୁ ଅଧିକ ଲୋକ ରୋଷେଇ କରିନଥିବା କୁହାଯାଇଛି। ରାହୁଲଙ୍କ ଶେଷକୃତ୍ୟ ପାଇଁ ଗାଁବାସୀ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ ରାହୁଲଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ରହିଛି ଅନେକ ପ୍ରଶ୍ନ। ତାଙ୍କୁ କେହି ହତ୍ୟା କରିଛି କି, ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି—ଏନେଇ ପରିବାର ଲୋକେ କିଛି ଜାଣିପାରୁନାହାନ୍ତି। ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ପରିବାର ଆଶା ରଖିଛି।

ପରିବାରର କହିବାନୁସାରେ, ମୃତ୍ୟୁ ପୂର୍ବରୁ ରାହୁଲ ତାଙ୍କ ବଡ଼ ଭାଇଙ୍କ ସହ ପ୍ରାୟ ୧୫ ମିନିଟ୍ ଧରି ଫୋନରେ ଖୁସିରେ ମଜା ଥଟା କରି କଥା ହୋଇଥିଲେ। ଏହାପରେ ହଠାତ୍ ତାଙ୍କ ମୃତ୍ୟୁ ଖବର ଆସିବା ପରିବାରକୁ ସନ୍ଦେହ ଓ ଚିନ୍ତାରେ ପକାଇଛି। ରାହୁଲଙ୍କ ବଡ଼ ଭାଇ ପ୍ରଳୟ କାଣ୍ଡି କହିଛନ୍ତି, “ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ। ମୁଁ ଜଣେ ଗରିବ ଲୋକ। ମୋ ଭାଇର ମୃତ୍ୟୁର ନ୍ୟାୟ ମିଳୁ।” ଏବେ ପରିବାରର ଅପେକ୍ଷା—କେବେ ଚେନ୍ନାଇରୁ ରାହୁଲଙ୍କ ମୃତଦେହ ଘରକୁ ଫେରିବ ଏବଂ କେବେ ଗାଁରେ ହେବ ତାଙ୍କର ଶେଷକୃତ୍ୟ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial