ଲଘୁଚାପ ବର୍ଷାରେ ଚାଷୀଙ୍କ ଉପରେ ଦାଉ! ବନ୍ୟାଜଳରେ ପଚିଗଲା ଧାନ, କ୍ଷତିପୂରଣ ଦାବି

କେନ୍ଦୁଝର: ପ୍ରକୃତିର ଦାଉରେ ପୁଣି ହତାଶ ହୋଇଛନ୍ତି ଚାଷୀ। ଲଘୁଚାପଜନିତ ଲଗାଣ ବର୍ଷା ପରେ ପାହାଡ଼ରୁ ମାଡ଼ିଆସିଥିବା ବନ୍ୟାଜଳ ଯୋଗୁଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଏକର ଏକର ଧାନଚାଷ ନଷ୍ଟ ହୋଇଯାଇଛି। ବିଶେଷକରି ବଉଳା ପାହାଡ଼ରୁ ଆସିଥିବା ନାଲି ରଙ୍ଗର ପାଣି ଧାନ କିଆରୀରେ ପଶି ଦୁଇରୁ ତିନିଦିନ ଧରି ଜମିକୁ ବୁଡ଼ାଇ ରଖିଥିବାରୁ ଧାନଗଛ ପଚିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେତେକ ଜମିରୁ ଧାନ ବିହନ ମୁଠାଏ ମଧ୍ୟ ମିଳିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

ଚାଷୀମାନଙ୍କ କହିବା ଅନୁଯାୟୀ, ଚଳିତ ଖରିଫ ଋତୁ ଆରମ୍ଭରୁ ହିଁ ସେମାନଙ୍କୁ ପ୍ରକୃତିର ଦାଉ ସହିବାକୁ ପଡ଼ିଛି। ଜୁଲାଇ ଓ ଅଗଷ୍ଟ ମାସରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ଦୁଇ ଦୁଇଥର ଧାନ ତଳି ନଷ୍ଟ ହୋଇଥିଲା। ତଥାପି ଚାଷୀମାନେ ହାର ନମାନି ସେପ୍ଟେମ୍ବରରେ ବାହାରୁ ଧାନ ତଳି ଆଣି ପୁଣି ଜମିରେ ରୁଆପୋତା କରିଥିଲେ। ଭଲ ଅମଳର ଆଶାରେ ଜମି ପ୍ରସ୍ତୁତ କରିବା ସହ ସାର ଓ କୀଟନାଶକ ପକାଇଥିଲେ। ହେଲେ ସେପ୍ଟେମ୍ବର ଶେଷ ଆଡ଼କୁ ଲଘୁଚାପଜନିତ ପ୍ରବଳ ବର୍ଷା ସେମାନଙ୍କ ସବୁ ଆଶାକୁ ଧୂଳିସାତ କରିଦେଇଛି।

ବଉଳା ପାହାଡ଼ରୁ ନାଲି ରଙ୍ଗର ପାଣି ତଳକୁ ମାଡ଼ିଆସି ଧାନ କ୍ଷେତରେ ପଶିବାରୁ ବହୁ ଚାଷଜମି ଜଳମଗ୍ନ ହୋଇଯାଇଥିଲା। ଦୁଇରୁ ତିନିଦିନ ଧରି ଧାନଗଛ ପାଣିରେ ବୁଡ଼ି ରହିବା ପରେ ପାଣି ଛାଡ଼ିଥିଲା। ପାଣି ଛାଡ଼ିବା ପରେ ଧାନଗଛଗୁଡ଼ିକର ପତ୍ର ଉପରେ ପଟୁ ଜମିଥିବା ଭଳି ଦେଖାଯାଇଥିଲା। ଏହାର କିଛିଦିନ ମଧ୍ୟରେ ଧାନଗଛ ଶୁଖିବା ସହ ମୂଳ ପଚିଯାଇଥିବା ଚାଷୀମାନେ କହିଛନ୍ତି। ଏଭଳି ଭାବେ ଚାଷରେ ବାରମ୍ବାର କ୍ଷତି ସହୁଥିବା ଚାଷୀଙ୍କ ଚିନ୍ତା ବଢ଼ିଛି। ଧାନଚାଷ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଆର୍ଥିକ କ୍ଷତି ମଧ୍ୟ ବଢ଼ିଛି। ତେଣୁ କୃଷି ବିଭାଗ ତୁରନ୍ତ ଶାସଙ୍ଗ ଗ୍ରାମର କ୍ଷତିଗ୍ରସ୍ତ ଚାଷଜମିର ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରୁ ଏବଂ ପ୍ରଭାବିତ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରୁ ବୋଲି ଦାବି କରିଛନ୍ତି ଚାଷୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial