ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ନୂଆପଡ଼ା: ସକାଳୁ ସକାଳୁ ନୂଆପଡ଼ା ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ଭୟାବହ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଖଡ଼ିଆଳ ବ୍ଲକ ବଡ଼ମହେଶ୍ୱର ନିକଟରେ ନୂଆପଡ଼ା-ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍‌ରେ ନିଜ ଘର ବିରୁନପଦରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଇଥିଲା ଏକ ଟ୍ରକ୍‌। ସୂଚନା ଅନୁସାରେ, ନୂଆପଡ଼ା ପଟୁ ଏକ ଟ୍ରକ୍‌ ଆସୁଥିବା ବେଳେ ଖଡ଼ିଆଳ ପଟୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ। ବଡ଼ମହେଶ୍ୱର ନିକଟରେ ହଠାତ୍‌ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍‌ରେ ଥିବା ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ସୂଚନା ମିଳିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଇ ଫେରାର ହୋଇଥିବା ଟ୍ରକ୍‌କୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial