ବଦଳିଲେ ଓଡ଼ିଶାର ରାଜ୍ୟପାଳ, ହରିବାବୁଙ୍କ ସ୍ଥାନରେ ବ୍ରଜ ମୋହନ ରାମ!

ଅକ୍ଷର ବ୍ୟୁରୋ: ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ ବିଜେପି ସହ ଜଡ଼ିତ ଜଣେ ଅଭିଜ୍ଞ ରାଜନେତା। ସେ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ଲଗାତାର ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ଅବିଭକ୍ତ ବିହାରର ପଲାମୁ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ପରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ଏହି ଅଞ୍ଚଳ ଝାଡ଼ଖଣ୍ଡର ଅଂଶ ହୋଇଥିଲା। ଜାତୀୟ ରାଜନୀତିକୁ ଆସିବା ପୂର୍ବରୁ ବ୍ରଜ ମୋହନ ରାମ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହାସହ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭଳି ସାଂଗଠନିକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏବେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ମିଳିଛି।

ଅନ୍ୟ ୫ ରାଜ୍ୟରେ ମଧ୍ୟ ରାଜ୍ୟପାଳ ଅଦଳବଦଳ

କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ପାଞ୍ଚଟି ରାଜ୍ୟରେ ମଧ୍ୟ ରାଜ୍ୟପାଳଙ୍କ ନିଯୁକ୍ତି ଓ ଅଦଳବଦଳ ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ୧୨ ଅକ୍ଟୋବର ୨୦୨୬ରେ ଜାରି ହୋଇଥିବା ଅଧିକାରିକ ପ୍ରେସ୍‌ କମ୍ୟୁନିକେ ଅନୁଯାୟୀ, ନିଯୁକ୍ତିଗୁଡ଼ିକ ନିମ୍ନଲିଖିତ ଅନୁସାରେ ହୋଇଛି।

ଓଡ଼ିଶା: ବ୍ରଜ ମୋହନ ରାମ

କେରଳମ: ସିକ୍କିମର ପୂର୍ବତନ ରାଜ୍ୟପାଳ ଓମ୍‌ ପ୍ରକାଶ ମାଥୁର

ତାମିଲନାଡୁ: କେରଳମର ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର

କର୍ଣ୍ଣାଟକ: ଡକ୍ଟର ସୁଧା ଯାଦବ

ଉତ୍ତରାଖଣ୍ଡ: ଡକ୍ଟର ଢାଲ ସିଂହ ବିସେନ

ସିକ୍କିମ: ଦୁଷ୍ୟନ୍ତ ଗୌତମ

ଏହି ନିଯୁକ୍ତି ଓ ଅଦଳବଦଳ ପରେ ଉକ୍ତ ଛଅଟି ରାଜ୍ୟରେ ରାଜ୍ୟପାଳ ପଦରେ ପରିବର୍ତ୍ତନ ହେବ। ନୂଆ ରାଜ୍ୟପାଳମାନେ ନିଜ ନିଜ ପଦର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ସମ୍ବିଧାନର କେଉଁ ଅନୁଚ୍ଛେଦରେ ହୁଏ ରାଜ୍ୟପାଳ ନିଯୁକ୍ତି?

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫୫ ଅନୁଯାୟୀ, ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନୂଆ ନିଯୁକ୍ତି ଘୋଷଣା ପରେ ଓଡ଼ିଶାର ରାଜ୍ୟପାଳ ପଦରେ ବ୍ରଜ ମୋହନ ରାମଙ୍କ ନାମ ଘୋଷଣା ହୋଇଛି। ତେବେ ନୂଆ ରାଜ୍ୟପାଳ କେବେ ଦାୟିତ୍ୱ ଗ୍ରହଣ କରିବେ, ସେନେଇ ପରବର୍ତ୍ତୀ ଆଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial