ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ହାଫିଜ୍ ସଇଦ୍। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହାଫିଜ୍ ସଇଦ୍ ନିଜର ଅତି ଘନିଷ୍ଠ ସହଯୋଗୀ ସୈଫୁଲା କସୁରୀ ସହ ଏକାଠି ମିଶି ଏହି ଯୋଜନା ପ୍ରସ୍ତୁତ କରିଥିଲା। ଲସ୍କରର ଡେପୁଟି ଚିଫ୍ ସୈଫୁଲ୍ଲା କସୁରୀର ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ରଚିଥିଲେ ୫ଜଣ ଆତଙ୍କବାଦୀ। ହାଫିଜ୍ ନିଜେ ବନାଇଥିଲା ବ୍ଲୁପ୍ରିଣ୍ଟ। କେମିତି ଭାରତରେ ପାକିସ୍ତାନରୁ ଆତଙ୍କୀ ପଶିବେ, ବୈସରନକୁ ଯିବେ ଏବଂ ପ୍ଲାନ ସଫଳ କରିବେ ସେସବୁକୁ କୁଆଡ଼େ ହାଫିଜ୍ ନିଜେ ହିଁ ପ୍ରସ୍ତୁତ କରିଥିଲା। ହିଜବୁଲ ମୁଜାହିଦ୍ଦିନ, ଲସ୍କର ଓ ହରକତ ଉଲ୍ ଜିହାଦ୍ର ଆତଙ୍କୀଙ୍କ ଏହି ଆକ୍ରମଣରେ ରହିଛି ସମ୍ପୃକ୍ତି। ଏମାନେ ହେଲେ ଲସ୍କରର ଅବୁ ମୁସା, ହିଜବୁଲ ମୁଜାହିଦ୍ଦିନର ଅବଦୁଲ୍ ରଫା ରସୁଲ୍, ହରକତ ଉଲ୍ ଜିହାଦ୍, ଅଲ୍ ଇସ୍ଲାମୀର ଇଦରିସ ଶାହିନ। ଏହାସହ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଉଥିବା ଅବଦୁଲ ଖାଲିଦ ଓ ମହମ୍ମଦ ନୱାଜ ବି ପହଲଗାମ୍ ଆକ୍ରମଣରେ ରହିଛି ।
ଅନ୍ୟପଟେ ଘାଟିରେ ସକ୍ରିୟ ୩ ଆତଙ୍କବାଦୀଙ୍କ ଘରକୁ ଗତକାଲି ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା। ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି। ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି। ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି। ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା। ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରାଯାଉଛି। ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା।












Leave a Reply