୧ଲକ୍ଷ ଲୋକଙ୍କ ରାସନକାର୍ଡ କଟିଛି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ପ୍ରାୟ ୧ ଲକ୍ଷ ଲୋକଙ୍କ ରାସନକାର୍ଡ କଟିଛି। ଇନ୍‌କମ୍‌ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରୁଥିବା ଲୋକଙ୍କର କଟିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଥିସହ E-KYCରେ ଗରିବଙ୍କ ରାସନକାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଗରିବଙ୍କର E-KYC କଟିଛି ମୋତେ କୁହନ୍ତୁ, ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ। ଯଦି ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ। ସର୍ଭେ କରିକି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।

ରୋଜଗାର କମ୍ ଥିବା ଲୋକଙ୍କ ରାସନକାର୍ଡ କଟିବନି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି କହିଛନ୍ତି ମନ୍ତ୍ରୀ। ସୂଚନା ଅନୁସାରେ ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ। ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି। ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍‌ଲାଇନ୍‌ରେ ଅଛି। ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ।

ଅନ୍ୟପଟେ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ ଇ-କେୱାଇସି କରିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ଇ-କେୱାଇସି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ ଇ-କେୱାଇସି ଯାଞ୍ଚ ସରିଯାଇଛି। ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ହିତାଧିକାରୀଙ୍କୁ କଟାଯାଇଛି। ସେହିପରି ରାଜ୍ୟ ସରକାର ରାଶନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି। ଗ୍ରୀଷ୍ମପ୍ରବାହ ପାଇଁ ସକାଳ ୭ରୁ ୧୦, ସଂଧ୍ୟା ୫ରୁ ୮ଟା ଯାଏଁ ବଣ୍ଟନ ହେବ। ଏହାସହ ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)