ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ; ଏଥର ବର୍ଷାରେ ଭିଜିବ ରଜ।

ସପ୍ତାହକ ପରେ ଓଡ଼ିଶାର ଗଣପର୍ବ ରଜ । ଏଥର ରଜକୁ ମନଭରି ଉପଭୋଗ କରିବେ ଓଡ଼ିଶାବାସୀ । କାରଣ ଏଥର ବର୍ଷାରେ ଭିଜିବ ରଜ । କୋହଲା ପାଗରେ ଜମିବ ଦୋଳି ଖେଳ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ରଜ ବେଳକୁ ମୌସୁମୀ ଅଧିକ ସକ୍ରିୟ ହେବ । 
 

ଏବେ ଦିନରେ ତାତି କଲବଲ କରୁଥିବା ବେଳେ ସନ୍ଧ୍ୟାରେ ପାଗରେ ଅଚାନକ ପରିବତ୍ତର୍ନ ହେଉଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପାଗର ମିଜାଜ ଏଭଳି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅଚାନକ ବିଜୁଳି, ଘଡଘଡି ସହ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଗରମ ଓ ଗୁଳୁଗୁଳି ପାଇଁ ଉତ୍ତର-ଉପକୂଳ ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
 
ଚଳିତଥର ଆଗୁଆ ଆସିଛି ମୌସୁମୀ । କିନ୍ତୁ ଏବେ ଯାଏଁ ତାତିରୁ ନିସ୍ତାର ମିଳିନି । ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ଦେଉଛି । କାଁ ଭାଁ ବର୍ଷା ହେଉଥିଲେ ମଧ୍ୟ ପାରଦ ଖସିବାର ନାଁ ନେଉନି । ତେବେ ରଜ ବେଳେ ହେବାକୁ ଥିବା ଲଘୁଚାପ କେବଳ ତାତିରୁ ଆଶ୍ବସ୍ତି ଆଣି ଦେବନି ବରଂ ମୌସୁମୀକୁ ଆହୁରି ସକ୍ରିୟ କରିବ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)