ଅକ୍ଷର ବ୍ୟୁରୋ: ସମ୍ବଲପୁର–ଯୁଯୁମୁରା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ‘ଶ୍ରୀ ଜଗନ୍ନାଥ’ ନାମକ ଯାତ୍ରୀବାହୀ ବସ୍ ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲା । କଂସର ନିକଟରେ ରାସ୍ତାକଡ଼ରେ ଏକ ଟ୍ରଲର ଛିଡ଼ା ହୋଇଥିଲା । ତେବେ କୌଣସି କାରଣରୁ ବସ୍ଟି ନିୟନ୍ତ୍ରଣ ହରାଇ ଟ୍ରଲରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା ।
ଧକ୍କା ଏତେ ତୀବ୍ର ଥିଲା ଯେ ବସ୍ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବା ବେଳେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଗୁରୁତର ଆହତଙ୍କ ମଧ୍ୟରୁ କିଛିଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାର କାରଣ କ’ଣ ଏବଂ ବସ୍ଟି କିପରି ନିୟନ୍ତ୍ରଣ ହରାଇଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା ମିଳିଛି ।













Leave a Reply