ଅକ୍ଷର ବ୍ୟୁରୋ: କିଛିଦିନର ବିରତି ପରେ ପୁଣି ଓଡ଼ିଶାକୁ ଛାଇବ ଲଘୁଚାପର ପ୍ରଭାବ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି।
ଆସନ୍ତାକାଲି କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ସେହିପରି ଅତି ପ୍ରବଳ ବର୍ଷା ଆଶଙ୍କାରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଲଘୁଚାପ ଅବପାତରେ ପରିଣତ ହେବା ପରେ ବର୍ଷାର ପ୍ରଭାବ ଆହୁରି ବଢ଼ିବା ଆଶଙ୍କା ରହିଛି। ଫଳରେ ନଦୀନାଳରେ ଜଳସ୍ତର ବୃଦ୍ଧି, ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ଯାତାୟାତରେ ସମସ୍ୟା ଦେଖାଦେଇପାରେ। ବର୍ଷା ସହ ଉପକୂଳ ଓଡ଼ିଶା ପାଇଁ ରହିଛି ସମୁଦ୍ରର ଅଶାନ୍ତି ଆଶଙ୍କା। ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିପାରେ। ଏଥିପାଇଁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଥିବା ବେଳେ ଆଗାମୀ ଦିନରେ ବର୍ଷାର ପରିମାଣ ଓ ଆଲର୍ଟରେ ପରିବର୍ତ୍ତନ ହୋଇପାରେ।












Leave a Reply