ଅକ୍ଷର ବ୍ୟୁରୋ: ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶକୁ ନେଇ କେନ୍ଦ୍ର ସହ ରାଜ୍ୟର ଆଲୋଚନା। ନୂଆଦିଲ୍ଲୀରେ କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାକ୍ଷାତ କରି ଓଡ଼ିଶାରେ ଆବାସ ଓ ଗ୍ରାମୀଣ ବିକାଶ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ।
ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ହିତାଧିକାରୀ ଚିହ୍ନଟ, ଯାଞ୍ଚ ଓ ଆବାସ ଆବଣ୍ଟନ ପ୍ରକ୍ରିୟାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଛି। ସଦ୍ୟ ସମ୍ପନ୍ନ ହୋଇଥିବା ସର୍ଭେରେ ଓଡ଼ିଶାର ପ୍ରାୟ ୩୮ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ଏହି ପରିବାରଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଯାଞ୍ଚ ସମୟରେ ହିତାଧିକାରୀଙ୍କ ଯୋଗ୍ୟତା ସହ ସେମାନଙ୍କ ଘରର ବାସ୍ତବ ସ୍ଥିତି ମଧ୍ୟ ଯାଞ୍ଚ କରାଯାଉଛି।
ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, ଅଗଷ୍ଟ ୨୭ ସୁଦ୍ଧା ଯାଞ୍ଚ ଓ ସ୍କ୍ରୁଟିନି ପ୍ରକ୍ରିୟା ଶେଷ ହେବ। ଏହାପରେ ଯୋଗ୍ୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ରାଜ୍ୟ ପକ୍ଷରୁ ଚୂଡ଼ାନ୍ତ ତାଲିକା କେନ୍ଦ୍ରକୁ ଦିଆଯିବା ପରେ ସେପ୍ଟେମ୍ବରରେ ଓଡ଼ିଶା ପାଇଁ PMAY-Gର ପ୍ରଥମ ପର୍ଯ୍ୟାୟ ଆବାସ ଆବଣ୍ଟନ କରାଯିବ। ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ। ନୂଆଦିଲ୍ଲୀରେ ହୋଇଥିବା ଏହି ଆଲୋଚନାରେ ସମ୍ବଲପୁର ସାଂସଦ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ସାଂସଦୀୟ ପ୍ରତିନିଧି ଦଳ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ଗିରୀଶ ଏସ୍.ଏନ୍. ଉପସ୍ଥିତ ଥିଲେ।











Leave a Reply