ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା: ରତ୍ନଚିତାରେ ସଜିବେ ତିନିଠାକୁର, ୫ ଘଣ୍ଟା ଦର୍ଶନ ବନ୍ଦ

ଅକ୍ଷର ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳିତ ହେବ ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପ୍ରତିବର୍ଷ ପାଳିତ ହେଉଥିବା ଏହି ପାରମ୍ପରିକ ନୀତିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗି ହେବ ଦୁର୍ମୁଲ୍ୟ ରତ୍ନଚିତା। ରତ୍ନଚିତାରେ ସଜିବା ପରେ ତିନିଠାକୁରଙ୍କ ଦିବ୍ୟ ରୂପ ଆହୁରି ମନୋହର ଦେଖାଯିବ।ତେବେ ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ରହିବ ଦର୍ଶନ କଟକଣା। ମହାପ୍ରଭୁଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତି ଓ ପତିମହାପାତ୍ର ସେବାୟତମାନେ ଚିତାଲାଗି ନୀତି ସମ୍ପନ୍ନ କରିବେ। ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଆରମ୍ଭ ହେବ ଏହି ବିଶେଷ ଗୁପ୍ତ ସେବା।

ଚିତାଲାଗି ନୀତି ପାଇଁ ପାଟରା ସେବାୟତମାନେ ବାସୁଙ୍ଗା ପାଟରେ ତିନିଠାକୁରଙ୍କ ନିମନ୍ତେ ସ୍ୱତନ୍ତ୍ର ଶ୍ରୀପଟ ପ୍ରସ୍ତୁତ କରିଛନ୍ତି। ପରମ୍ପରା ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ, ବଳଭଦ୍ରଙ୍କ ପାଇଁ ନୀଳ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ନାଲି ରଙ୍ଗର ଶ୍ରୀପଟ ପ୍ରସ୍ତୁତ ହୋଇଛି। ଏହାସହ ଆଜି ତିନିଠାକୁର ଧାରଣ କରିବେ ସ୍ୱତନ୍ତ୍ର ରତ୍ନଚିତା। ଶ୍ରୀଜଗନ୍ନାଥ ହୀରା ଖଚିତ ଚିତା, ବଡ଼ଠାକୁର ବଳଭଦ୍ର ନୀଳା ଖଚିତ ଚିତା ଏବଂ ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ଚିତା ଧାରଣ କରିବେ। ଗୁପ୍ତ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସିଧାସଳଖ ଦର୍ଶନରୁ ବଞ୍ଚିତ ହେବେ। ଗୁପ୍ତ ନୀତି ସମାପ୍ତ ହେବା ପରେ ପୁଣି ଭକ୍ତମାନଙ୍କୁ ଦର୍ଶନ ମିଳିବ।

ଚିତାଲାଗି ନୀତି ସହ ଜଡ଼ିତ ରହିଛି ଶ୍ରୀମନ୍ଦିରର ପୁରାତନ ପରମ୍ପରା। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିବା ସମୟରେ ଶ୍ରୀଜିଉଙ୍କ ଚିତା ଓ ରାହୁରେଖା ଓଲାଗି କରାଯାଇ ଭଣ୍ଡାର ଘରେ ସୁରକ୍ଷିତ ଭାବେ ରଖାଯାଏ। ଶ୍ରାବଣ ଅମାବାସ୍ୟାର ପବିତ୍ର ତିଥିରେ ପୁଣିଥରେ ସେହି ଚିତା ଶ୍ରୀଜିଉଙ୍କ ମସ୍ତକରେ ଲାଗି କରାଯାଏ। ଚିତାଲାଗି ଅମାବାସ୍ୟା କେବଳ ଏକ ନୀତି ନୁହେଁ, ବରଂ ଶ୍ରୀମନ୍ଦିରର ପୁରାତନ ପରମ୍ପରା ଓ ଦଇତାପତି ସେବାୟତଙ୍କ ସେବା ସହ ଗଭୀର ଭାବେ ଜଡ଼ିତ ଏକ ପବିତ୍ର ଅନୁଷ୍ଠାନ। ଗୁପ୍ତ ନୀତି ସମ୍ପନ୍ନ ହେବା ପରେ ରତ୍ନଚିତାରେ ସଜି ମହାପ୍ରଭୁ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial