ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଜମି ପଟ୍ଟା ସମ୍ପର୍କିତ ଅନୁକୂଳ ରିପୋର୍ଟ ଦେବା ଏବଂ ପଟ୍ଟା ପ୍ରଦାନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆର ଆରଆଇ ଶରତ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ କରି ଜେଜେବାପାଙ୍କ ନାଁରେ ଆରଓଆର୍ ପାଇଁ ଆବେଦନ କରିଥିଲେ। ତେବେ ଏହି ପ୍ରକ୍ରିୟାରେ ବିଳମ୍ବ କରିବା ସହ ଅନୁକୂଳ ରିପୋର୍ଟ ଦେବା ପାଇଁ ଆରଆଇ ଶରତ କୁମାର ସେଠୀ ୫ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅନିଚ୍ଛୁକ ଆବେଦନକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସର ଏକ ଟିମ୍ ଯୋଜନାବଦ୍ଧ ଭାବେ ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ଆରଆଇଙ୍କ କାର୍ଯ୍ୟାଳୟ କୋଠରୀରେ ଚଢ଼ାଉ କରିଥିଲା।
ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଶରତ କୁମାର ସେଠୀଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାପରେ ଆରଆଇ ଶରତ କୁମାର ସେଠୀଙ୍କ ବାସଗୃହ ସମେତ ଅନ୍ୟ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତଲାସୀ ଜାରି ରହିଛି। ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଆରଆଇଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ତଲାସୀ ଓ ତଦନ୍ତ ପରେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି।












Leave a Reply