ମାହାଙ୍ଗାରେ ଚାଞ୍ଚଲ୍ୟ: ରାସ୍ତାକଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

ଅକ୍ଷର ବ୍ୟୁରୋ: ମାହାଙ୍ଗାରେ ଚାଞ୍ଚଲ୍ୟକର ଘଟଣା। ରାସ୍ତାକଡ଼ରେ କାର୍‌ ରଖିଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ମାଡ଼ ମାରିଥିବା ଅଭିଯୋଗ ରହିଛି। ଘଟଣାକୁ ନେଇ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କେନ୍ଦ୍ରାପଡ଼ା ଯାଉଥିଲେ। ମାହାଙ୍ଗା ଅଞ୍ଚଳରେ ରାସ୍ତାକଡ଼ରେ କାର୍‌ ରଖି ଦୁହେଁ କିଛି ସମୟ ପାଇଁ ଅଟକିଥିଲେ। ଏହି ସମୟରେ ୬ ଜଣ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ କାର୍‌ରୁ ବାହାରିବାକୁ କହିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, କାର୍‌ର ଡୋର୍‌ ନଖୋଲିବାରୁ ଯୁବକମାନେ ଚୁମୁଟାରେ କାର୍‌ର କାଚ ଭାଙ୍ଗି ଯୁବତୀଙ୍କୁ ବାହାରକୁ ଟାଣି ନେଇଥିଲେ। ପରେ ରାସ୍ତାପାର୍ଶ୍ୱରେ ଥିବା ଏକ ଭଙ୍ଗା ଘରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ପୁଲିସ କହିଛି। ଏହି ସମୟରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଆକ୍ରମଣ କରି ମାଡ଼ ମରାଯାଇଥିବା ଅଭିଯୋଗ ରହିଛି।ଘଟଣା ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି। ଘଟଣାରେ ଏଯାବତ୍‌ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଜଣେ ଡିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗ ନେଇ ତଦନ୍ତ କରାଯାଉଥିବା ବେଳେ ମାମଲାରେ ଆଗକୁ ଆହୁରି ଗିରଫଦାରୀ ହୋଇପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial