ସ୍ତ୍ରୀର କାଠଫାଳିଆ ମାଡ଼ରେ ସ୍ୱାମୀ ମୃତ! ମଦ୍ୟପାନ କରି ଝଗଡ଼ା ପରେ ଘଟିଲା ଅଘଟଣ

ଅକ୍ଷର ବ୍ୟୁରୋ: ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଆନନ୍ଦ ମୁଣ୍ଡା।

ସୂଚନା ଅନୁସାରେ, ଗତକାଲି ରାତିରେ ଆନନ୍ଦ ମୁଣ୍ଡା ମଦ୍ୟପାନ କରି ତାଙ୍କ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ା ବେଳେ ଯାତ୍ରୀ ରାଗିଯାଇ ଏକ କାଠଫାଳିଆରେ ଆନନ୍ଦଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପଡ଼ୋଶୀମାନେ ଗୁରୁତର ଆନନ୍ଦଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଘଟଗାଁ ଥାନା ସବ୍‌-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ମୃତଦେହର ପୋଷ୍ଟମର୍ଟମ କରାଯାଇଛି।ଏପଟେ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଘଟଗାଁ ପୁଲିସ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି। ଯାତ୍ରୀ ମୃତକ ଆନନ୍ଦ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial