ଏଣିକି ସରକାରୀ କର୍ମଚାରୀଙ୍କ ଅଫିସ ଇନ ଓ ଅଫିସ ଆଉଟ ଟାଇମ ରେକର୍ଡ ହେବ। ବାୟୋମେଟ୍ରିକ ଆଟେଣ୍ଡେନ୍ସ ରେକର୍ଡିଂ ଡିଭାଇସରେ ଏହା ରେକର୍ଡ ହେବ। ଯଦି ସମୟ ରେକର୍ଡ ନହେବ ତେବେ ଡ୍ୟୁଟିରୁ ଅନୁପସ୍ଥିତି ଭାବରେ ବିବେଚିତ କରାଯିବ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ସମୟାନୁବର୍ତ୍ତୀ ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ସମୟାନୁବର୍ତ୍ତୀତାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ସୁଶାସନର ପ୍ରାଥମିକ ଆବଶ୍ୟକତା।
କାର୍ଯ୍ୟାଳୟରେ ସମୟାନୁବର୍ତ୍ତୀ ଉପସ୍ଥିତି ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଆଶା କରାଯାଉଛି ଯେ, ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ଏହା ସମସ୍ତ କର୍ମଚାରୀଙ୍କ ଲାଗି ପ୍ରଯୁଜ୍ୟ। ଏହା କନିଷ୍ଠ ସରକାରୀ କର୍ମଚାରୀଙ୍କଠୁ ଆରମ୍ଭ କରି ସର୍ବୋଚ୍ଚ ପଦବୀ କର୍ମଚାରୀଙ୍କ ପାଇଁ ଲାଗୁ ହେଉଛି। କାର୍ଯ୍ୟାଳୟକୁ କର୍ମଚାରୀଙ୍କ ବିଳମ୍ବରେ ଆସିବାକୁ କମ୍ କରିବା ପାଇଁ ସମସ୍ତ ବିଭାଗକୁ ବାୟୋମେଟ୍ରିକ ଉପସ୍ଥିତି ପ୍ରଣାଳୀ ଭଳି ଆବଶ୍ୟକୀୟ ଉପକରଣ ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଯେଉଁଠାରେ ପୂର୍ବରୁ ଏହି ବ୍ୟବସ୍ଥା ସଂସ୍ଥାପିତ ହୋଇନାହିଁ, ସେଠାରେ ଏହା ଲାଗୁ କରାଯିବ। ଯେଉଁଠାରେ ଏପରି ବ୍ୟବସ୍ଥା ସ୍ଥାପନ କରାଯାଇଛି, ଏହା କାର୍ଯ୍ୟକ୍ଷମ ଅଛି ନା ନାହିଁ ବିଭାଗଗୁଡ଼ିକ ନିଶ୍ଚିତ କରିବେ। ବାୟୋମେଟ୍ରିକ ତଥ୍ୟ NIC ଦ୍ୱାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡେନ୍ସ ସିଷ୍ଟମ ପୋର୍ଟାଲ ସହିତ ଲିଙ୍କ କରାଯିବ। ବିଭାଗର ଜଣେ ନିଯୁକ୍ତ ଅଧିକାରୀ ଦ୍ୱାରା ପ୍ରତି ପାକ୍ଷିକ ଭାବରେ ବିଶ୍ଳେଷଣ କରାଯିବ। କାର୍ଯ୍ୟାଳୟରେ ସମୟାନୁବର୍ତ୍ତୀତା ସୁନିଶ୍ଚିତ କରିବା ପାଇଁ କିଛି ମୌଳିକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।











Leave a Reply