FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହାଜର ହେବେ ICC ସଦସ୍ୟ । ତଦନ୍ତ କମିଟି ପାଖରେ ହାଜର ହେବେ ଆଭ୍ୟନ୍ତରୀଣ କମିଟି ସଦସ୍ୟ । ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ । ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ୱର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍ଓଡି କାରାଗାରର ୩ ନମ୍ବର ସେଲ୍ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି। ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି। ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍ଚାପ୍ ରହୁଥିବା ଜଣାଯାଇଛି।
ଗତ ୧୨ ତାରିଖ ଦିନ କାରାଗାରକୁ ଆସିଥିଲେ ଶ୍ରୀ ସାହୁ। କାହା ସହିତ କଥାବର୍ତ୍ତା କରି ନଥିଲେ। ଜେଲ୍ରେ ଯାହାସବୁ ଖାଇବାକୁ ଦିଆଯାଉଛି, ତାହା ଖାଉଛନ୍ତି। ସେଲ୍ରୁ ଆଦୌ ବାହାରକୁ ବାହାରୁ ନାହାନ୍ତି। ଅନ୍ୟ କଏଦୀ ଟିଭି ଦେଖୁଥିବା ବେଳେ ସେ ଯାଉନାହାନ୍ତି। ତେବେ ଆଜି ଜେଲ୍ ପରିସରରେ ହେଉଥିବା ଯୋଗ କ୍ଲାସ୍ରେ ସାମିଲ ହୋଇ ଯୋଗଶିକ୍ଷା କରିଥିଲେ। ଅନ୍ୟପକ୍ଷରେ ଗତ ୧୪ ତାରିଖ ରାତି ପାଖାପାଖି ୧୨ଟା ସମୟରେ କାରାଗାରକୁ ଆସିଥିବା ଅଧ୍ୟକ୍ଷ ମାନସିକସ୍ତରରେ ଦୃଢ଼ଥିବା ବେଳେ ତାଙ୍କ ସହିତ ରହୁଥିବା କଏଦୀଙ୍କ ସହିତ କଥାବାର୍ତ୍ତା କରୁ ନଥିବା ଜଣାପଡ଼ିଛି। ସେ ବି ନିଜ ସେଲ୍ରୁ ବାହାରୁ ନାହାନ୍ତି। ଦୁଇଦିନ ହେଲା ଏକୁଟିଆ ଚୁପ୍ଚାପ୍ ବସି ରହୁଛନ୍ତି। ଆଜି ସମସ୍ତ କଏଦୀ ଯୋଗ କ୍ଲାସ୍ ଯାଇଥିବା ବେଳେ ସେ ନଯାଇ ନିଜେ ରୁମ୍ ଭିତରେ ଯୋଗ କରିଥିଲେ। ଟିଭି ଦେଖୁ ନାହାନ୍ତି କି ଖବରକାଗଜ ପଢ଼ୁ ନାହାନ୍ତି। ଜେଲ୍ ପକ୍ଷରୁ ଆଜି ସକାଳେ ଦିଆଯାଇଥିବା ଚୁଡ଼ାସନ୍ତୁଳା, ଦ୍ବିପ୍ରହରରେ ଡାଲି ଓ ସୋୟାବିନ୍ ତରକାରି ଉଭୟ ଖାଇଥିଲେ। ରାତିରେ ଭାତ ନଖାଇ ରୁଟି ଓ ତରକାରି ଖାଉଥିବା ଜଣାପଡ଼ିଛି। ଆସନ୍ତା ସୋମବାର ଦିନ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯିବ ବୋଲି ଜଣାଯାଇଛି। ଜେଲ୍ ସୁପରିନ୍ଟେଣ୍ଡେଣ୍ଟ ସୁଚିତ୍ରା ଦାସ କହିଛନ୍ତି, ଅନ୍ୟ କଏଦୀଙ୍କ ପରି ସେମାନଙ୍କୁ ସମାନ ସୁବିଧା ଦିଆଯାଉଛି।












Leave a Reply