ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି । ହେଲେ ସେ କାହିଁକି ଆତ୍ମହତ୍ୟା ନିଷ୍ପତ୍ତି ନେଲେ , ଆତ୍ମାହୁତି ପଛର କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସୂଚନାମୁତାବକ, ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ଖାଉଥିଲେ । ଦୀପକ ଜଣେ ଆଇନଜୀବୀ ଥିଲେ । ପତ୍ନୀ ଓ ୨ ସନ୍ତାନ ଓ ମାଆ ସହ ରହୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ତ୍ରୀ ଖାଇବା ପାଇଁ କହିବାରୁ ଛାତ ଉପରୁ ଆସି ପରେ ଖାଇବେ ବୋଲି କହିଥିଲେ । ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ୪ ମହଲା ଛାତ ଉପରକୁ ଯାଇଥିଲେ ତାଙ୍କ ସ୍ତ୍ରୀ । ହେଲେ ସିଡି କବାଟ ବନ୍ଦ ଥିଲା । ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରିଥିଲେ । ପାଟି ଶୁଣି ପଡ଼ୋଶୀମାନେ ବି ଧାଇଁ ଆସିଥିଲେ । କବାଟ ଭିତର ପଟୁ ବନ୍ଦ ଥିବାରୁ ପାଖଘର ଛାତ ଦେଇ କିଛି ପଡ଼ୋଶୀ ଯୁବକ ସେଠାକୁ ଯାଇଥିଲେ । ହେଲେ ସେତେବେଳକୁ ଦୀପକଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ।












Leave a Reply