ଆସନ୍ତାକାଲି ହେବାକୁ ଯାଉଛି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା; ରାଜ୍ୟରେ ୭୫ହଜାର ୪୦୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ପରୀକ୍ଷା ।

ଆସନ୍ତାକାଲି ହେବାକୁ ଯାଉଛି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ପରୀକ୍ଷା । ଲଘୁଚାପ ଓ ଲଗାଣ ବର୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ଚିଠି ଲେଖିଲା ବୋର୍ଡ । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ଚିଠି ଲେଖା ହୋଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା । ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍‌ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋର୍ଡ ଏବଂ ୱାଟର୍‌ ମାର୍କ ରହିଛି ।

ଏହି ସ୍ପେସାଲ୍‌ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍‌ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ହଜାର ୬ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍‌ ସମୟ ଦିଆଯିବ । ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ । ପେପର-୧ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଶେଷ ହେବ । ପୂର୍ବ ପରି ସେହି ପୁରୁଣା ପାର୍ଟନ ଅନୁସାରେ ପ୍ରଶ୍ନ ପ୍ରସ୍ତୁତି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ବ୍ୟବସ୍ଥା ଅନୁଯାୟୀ ହେବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ପୂର୍ବରୁ ସୂଚନା ଦେଇଥିଲେ । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ଦୁଇଟି ପରୀକ୍ଷା ପରିଚାଳନା ସଂସ୍ଥାର କୌଶଳକୁ ଅନୁଧ୍ୟାନ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)