ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡାରେ ଅସନ୍ତୋଷ ପରିସ୍ଥିତି ।

ଅକ୍ଷର ବ୍ୟୁରୋ: ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନୂଆପଡା ବିଜେପିରେ ଅସନ୍ତୋଷ । ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧିପାଇଛି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଦଳର ଅସନ୍ତୋଷ ବଢିବାରେ ଲାଗିଛି । ତାଙ୍କୁ ବିଜେପି ଏଥର ଉପନିର୍ବାଚନରେ ପ୍ରାର୍ଥୀ କରିପାରେ । ଏହି ପରିବର୍ତ୍ତିତ ଘଟଣାକୁ ନେଇ ନୂଆପଡ଼ା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦଳର ଏହି ନିଷ୍ପତ୍ତିକୁ ବିରୋଧ କରି ଶନିବାର ବହୁ କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ସେମାନଙ୍କ ଇସ୍ତଫାପତ୍ର ଦେଇଛନ୍ତି । ଏହାସହିତ କିଛି ମଣ୍ଡଳ ସଭାପତି, ବୁଥ୍ ସଭାପତିଙ୍କ ସହ କର୍ମୀମାନେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ଇସ୍ତଫା ଦେଇଥିବା କର୍ମୀମାନେ କହିଛନ୍ତି, ନୂଆପଡ଼ା ବିଜେପିରେ ଅନେକ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି । ହେଲେ ସେମାନଙ୍କୁ ଅଣଦେଖା କରି ଅନ୍ୟ ଦଳର ନେତାଙ୍କୁ ଆଣିବା ଦୁର୍ଭାଗ୍ୟଜନକ । ଦଳରେ ବହୁବର୍ଷ ରହିଥିବା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ଖରିଆରରୋଡ୍ ନଗର ବିଜେପି ସଭାନେତ୍ରୀ ତଥା ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି । ଦଳ ଏହି ନେତାମାନଙ୍କୁ ସୁଯୋଗ ନ ଦେଲେ ନୂଆପଡ଼ା ବିଜେପି କର୍ମୀମାନେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ । ଜୟ ଢୋଲକିଆଙ୍କୁ ଦଳୀୟ ଟିକଟ ଦିଆଗଲେ ବହୁ କର୍ମୀ ଦଳ ଛାଡ଼ିବାକୁ ନିଷ୍ପତ୍ତ ନେଇଥିବା ଏହି କର୍ମୀମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)