ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ ।

ଅକ୍ଷର ବ୍ୟୁରୋ: ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି । ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍ ଉପରେ ପୋଲିସର ନଜର ରହିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅବାଧରେ ବସବାସ କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଚାନ୍ଦବାଲି ବ୍ଲକରେ ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, ଧାମରା, ଚଡଦିଆ ଆଦି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢିଚାଲିଛି । ସମୁଦ୍ରପଥ ଦେଇ ଜଳପଥରେ ଅତି ସହଜରେ ଧାମରା ଉପକୂଳରେ ଅନୁପ୍ରବେଶକାରୀ ମାନେ ଧାମରାର ବିଭିନ୍ନ ଅଂଚଳକୁ ଅବାଧରେ ପ୍ରବେଶ କରିପାରୁଛନ୍ତି । ତେବେ ଅତିରିକ୍ତ ଏସପି କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପରିଚୟ ପତ୍ର ଯାଞ୍ଚ କରାଯାଉଛି । ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି । ଜଗତସିଂହପୁର ବେହେରାମପୁର ନିକଟରେ ସରକାରୀ ଜମିରେ ନିର୍ମାଣ କରିଥିବା ଘରଗୁଡ଼ିକୁ ସନ୍ଦିଗ୍ଧ ବାଂଲାଦେଶୀମାନେ ଅଭିଯାନ ଭୟରେ ନିଜେ ଭାଙ୍ଗି ଚମ୍ପଟ ମାରିଛନ୍ତି । ଗତ ୧୭ ତାରିଖରେ ୭ଟି ବେଆଇନ ଘରକୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଥିବା ବେଳେ ୨୬ ଜଣଙ୍କୁ ଅଟକ ରଖି ନକଲି ଆଧାର, ଭୋଟର ଆଇଡି ଓ ଜମି ପଟ୍ଟା ଜବତ କରାଯାଇଛି । ମଙ୍ଗଳବାର ରାତିରେ ଯାଜପୁରରେ ୫୨ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଅଣାଯାଇଥିଲା । କାଗଜପତ୍ର ଯାଞ୍ଚ ପରେ ୫୦ ଜଣଙ୍କୁ ଛାଡ଼ି ଦିଆଯାଇଛି, କିନ୍ତୁ କାଗଜପତ୍ର ଦେଖାଇ ନପାରିଥିବା ଦୁଇଜଣଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପୋଲିସ କଡ଼ା ନଜର ରଖିଛି ।

ତେବେ ରାଜ୍ୟ ଉପକୂଳ ନିକଟରେ ଥିବା ସୁବର୍ଣ୍ଣରେଖା, ହ୍ବିଲର୍ ଆଦି ୧୦ରୁ ଅଧିକ ଦ୍ୱୀପପୁଞ୍ଜ ସୁରକ୍ଷା ଶୂନ୍ୟ ରହିଥିବାରୁ ଅନୁପ୍ରବେଶକାରୀମାନେ ଏହି ଦ୍ୱୀପଗୁଡ଼ିକୁ ନିରାପଦ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି । ଅଭିଯୋଗ ଅନୁଯାୟୀ, ଏକ ସଂଘବଦ୍ଧ ରାକେଟ୍ ଜରିଆରେ ପ୍ରଥମେ ଦ୍ୱୀପରେ ରହି ପରେ ନକଲି କାଗଜପତ୍ର ସହାୟତାରେ ସେମାନେ ମୁଖ୍ୟ ଭୂଖଣ୍ଡକୁ ପ୍ରବେଶ କରୁଛନ୍ତି । ରାକେଟ୍ ଜଣେ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଆଣିବା ବଦଳରେ ୫ ରୁ ୬ ହଜାର ଟଙ୍କା ନେଉଛି । ରେଲୱେ ଓ ଉପକୂଳ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ ଉପକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ଦ୍ୱୀପପୁଞ୍ଜ ଉପରେ କଡ଼ା ନଜର ରଖାଯାଇ ସୂଚନା ମିଳିଲେ ତୁରନ୍ତ ଚଢ଼ାଉ କରାଯାଉଛି । ରାଜ୍ୟର ସୁରକ୍ଷା ପାଇଁ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)