ଆଜିଠୁ ରାଜ୍ୟରେ ଖୋଲିବ ଧାନ ମଣ୍ଡି; ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଆଜିଠୁ ରାଜ୍ୟରେ ଖୋଲିବ ଧାନ ମଣ୍ଡି । ଖରିଫ୍ ଧାନ କିଣିବେ ରାଜ୍ୟ ସରକାର । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ଚାଷୀଙ୍କ ପାଇଁ ଏଥର ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା । ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ବ୍ୟବସ୍ଥା । ଠିକ୍‌ ସମୟରେ ଗାଡ଼ି ପହଞ୍ଚାଇବାକୁ ମିଲର୍‌ଙ୍କୁ କଡ଼ା ନିର୍ଦ୍ଦେଶ । ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । ମଣ୍ଡିରୁ ଯେମିତି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠିବ ତା ଉପରେ ମୋହନ ମାଝୀଙ୍କ ସରକାର ଗୁରୁତ୍ୱ ଦେଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଜମିରେ ଧାନ ଚାଷ ହୋଇଛି । ମଣ୍ଡିରେ ଧାନ ଦେଲେ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ମଧ୍ୟ ମିଳୁଛି । ଯାହା ଫଳରେ ମଣ୍ଡି ଖୋଲୁଥିବାରୁ ଚାଷୀ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ ବୋଲି କହିଛନ୍ତି ମନ୍ତ୍ରୀ । 

ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ନେଇ ଶନିବାର ଏକ ବୈଠକ ହୋଇଥିଲା । ସେଥିରେ କରାଯାଇଥିବା ଆଲୋଚନା ମୁତାବକ, ଚଳିତ ବର୍ଷ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପ୍‌ସ ଧାନ ସଂଗ୍ରହରେ ସାମିଲ ହେବେ । ଏହାସହିତ ୧୪୧୯ କଷ୍ଟମ ମିଲର ଧାନ ସଂଗ୍ରହ କରିବେ ବୋଲି ଧାନସଂଗ୍ରହ ସମୀକ୍ଷା ବୈଠକରୁ ଜଣାଯାଇଛି । ଚଳିତ ବର୍ଷ ୪୦୮୮ଟି ମଣ୍ଡି,ଏଫ୍‌ସିଆଇ ଏବଂ ଯୋଗାଣ ନିଗମର ୧୬୩ଟି ଗୋଦାମ ଘରକୁ ମିଶାଇ ରାଜ୍ୟରେ ସର୍ବମୋଟ ୬.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଭଣ୍ଡାର କ୍ଷମତା ରହିଛି । ସବୁ ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି ।

ଶୀଘ୍ର ଧାନ ସଂଗ୍ରହ କରୁଥିବା ଜିଲ୍ଲାକୁ ୨୫ ନଭେମ୍ବର ଏବଂ ବିଳମ୍ବରେ ଧାନ ସଂଗ୍ରହ କରୁଥିବା ଜିଲ୍ଲାକୁ ନଭେମ୍ବର ୩୦ ତାରିଖ ସୁଦ୍ଧା କୃଷକଙ୍କ ଜମି ଅନୁସାରେ ଆବଶ୍ୟକ ପ୍ରମାଣୀକୃତ ବ୍ୟବସ୍ଥା ସାରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ସଚିବ ଖରିଫ ଋତୁ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪-୨୫ ଖରିଫ୍‌ ମାର୍କେଟିଂ ଋତୁରେ ୭୩ ଲକ୍ଷ ୪୫ ହଜାର ୭୦୭ ମେଟ୍ରିକ୍‌ ଟନ୍‌ ଏବଂ ରବିଋତୁରେ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ସେହି ଅନୁପାତରେ ଯେତେ ପରିମାଣର ଚାଉଳ ସଂଗ୍ରହ ହେବା କଥା,ସେଥିରୁ ୭୨ ପ୍ରତିଶତ ସଂଗ୍ରହ ହୋଇଛି ଓ ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । ଗତ ୨୦୨୩ -୨୪ ବର୍ଷରେ ୮୫ ପ୍ରତିଶତ ଚାଉଳ ସଂଗ୍ରହ ହୋଇଥିଲା । ୨୦୨୫-୨୬ ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ ଥିଲା। ଏ ବର୍ଷ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial