ଅକ୍ଷର ବ୍ୟୁରୋ: ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ବହିପାରେ। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବା ନେଇ ପାଣିପାଗ ବିଭାଗ (ଆଇଏମ୍ଡି) ଏହି ଆକଳନ କରିଛି। ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ୯ ତାରିଖ (ମଙ୍ଗଳବାର)ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ। ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ରବିବାର ରାତିରେ ଏଠାରେ ୪.୩ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୧.୯ ଓ କଟକରେ ରାତି ତାପମାତ୍ରା ୧୧.୮ ଡିଗ୍ରୀ ରହିଥିଲା। ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର (ସୁନ୍ଦରଗଡ଼ ଓ ଝାରସୁଗୁଡ଼ା) ଓ ପଶ୍ଚିମ ଓଡ଼ିଶା (ସମ୍ବଲପୁରରୁ ନବରଙ୍ଗପୁର) ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ବଢ଼ିପାରେ। ବାଲେଶ୍ୱରରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲା ଓ ସଂଲଗ୍ନ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି ଜିଲ୍ଲାରେ ୧୧ ତାରିଖ ରାତିରେ ଶୀତ ବଢ଼ିପାରେ।
ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି; ପାଣିପାଗ ବିଭାଗର ଆକଳନ ।












Leave a Reply