ଅକ୍ଷର ବ୍ୟୁରୋ: ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସଂଧ୍ୟା ହେବା କ୍ଷଣି ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନଶାନ ହେଇଯାଉଛି । ଶୀତ ଛଡ଼ାଇବାକୁ ଘଣ୍ଟା ଘଣ୍ଟା ନିଆଁ ପୁଉଁଛନ୍ତି ଲୋକେ । ପାଣିପାଗ ବିଜ୍ଞାନୀଙ୍କ ଆକଳନ କାଲିଠୁ ଆହୁରି ବଢିବ ଶୀତ । ଆସନ୍ତା ୧୨ ତାରିଖ ଯାଏଁ ଶୀତର ପ୍ରକୋପ ଜାରି ରହିବ । ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ । ପ୍ରବଳ ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଏଠି ସର୍ବନିମ୍ନ ସ୍ତରକୁ ଖସି ଆସିଛି ପାରଦ । ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା । ଜିଲ୍ଲାର ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି ।
ଆଜି ସକାଳ ୫ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି । ଦିନ ତମାମ କୋହଲା ଶୀତର ପ୍ରଭାବ ରହୁଥିବା ବେଳେ ସନ୍ଧ୍ୟା ୫ଟା ପରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି । ମଧ୍ୟରାତ୍ରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପାହାନ୍ତିଆରୁ ଘନ କୁହୁଡି ପାଇଁ ଜିରୋ ଭିଜିବିଲିଟି ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି । ନବରଙ୍ଗପୁରରେ ହାଡ଼ ଭଙ୍ଗା ଜାଡ଼ ନ ହେଲେ ବି ଶୀତର ପ୍ରକୋପ ଅଧିକ ରହୁଛି । ରାତି ସମୟରେ ଶୀତ ଲହରୀ ଦେଖିବାକୁ ମିଳୁଛି । ରାତି ୮ଟା ପରେ ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନସାନ ହେଇ ଯାଇଯାଉଛି । ମଣିଷ ତ ମଣିଷ, ଗୃହପାଳିତ ପ୍ରାଣୀ ବି ପ୍ରବଳ ଜାଡ଼ରେ କଷ୍ଟ ଭୋଗୁଛନ୍ତି । ଲୋକେ ନିଜକୁ ଫିଟ୍ ରଖିବାକୁ ମର୍ଣ୍ଣିଂ ୱାର୍କ ସହ ଖେଳ କୁଦ କରି ସମୟ କାଟୁଛନ୍ତି । ନବରଙ୍ଗପୁର ଜିଲ୍ଲାରେ କିଛି ଦିନ ହେବ ପ୍ରାରଦ ୧୦ ଡିଗ୍ରୀ ଛୁଇଁଛି ।












Leave a Reply