OTET ପରୀକ୍ଷାର ସମୟରେ ପରିବର୍ତ୍ତନ; ପେପର-୨ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ମିନିଟ୍ ଅଧିକ ସମୟ ।

ଅକ୍ଷର ବ୍ୟୁରୋ: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ବର୍ତ୍ତମାନ ଏହି ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ଯାଏଁ ଅନୁଷ୍ଠିତ ହେବ । ତେବେ ପେପର-୧ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ସକାଳ ୯ଟାରୁ ୧୧.୩୦ ଯାଏଁ ହେବ । ଉଭୟ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅଧିକ ସମୟ ମିଳିବ । ଏହି ପରୀକ୍ଷା ପାଇଁ ରାଜ୍ୟର ୪୫୨ଟି କେନ୍ଦ୍ରରେ ମୋଟ୍ ୧,୬୦,୩୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଯେଉଁଥିରୁ ପେପର-୧ ପାଇଁ ୪୭,୭୨୦ ଏବଂ ପେପର-୨ ପାଇଁ ୧,୧୨,୬୫୯ ଜଣ ପ୍ରାର୍ଥୀ ଅଛନ୍ତି । ଏଥିପାଇଁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାକୁ ୪୦ଟି ଭିନ୍ନ ଭିନ୍ନ ମାର୍ଗରେ ପ୍ରଶ୍ନପତ୍ର ଏବଂ OMR ସିଟ୍ ପଠାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial