ଅକ୍ଷର ବ୍ୟୁରୋ: ଖୋର୍ଦ୍ଧାରେ ୫୦ ଲକ୍ଷ ଟଙ୍କା ଦାଦାବଟି ଦାବିକୁ କେନ୍ଦ୍ର କରି ଘଟିଥିବା ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ଦୁଇଟି କାର୍, ଏକାଧିକ ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଜବତ କରିଛି। ଏହି ସଫଳତା ପରେ ସଂଗଠିତ ଅପରାଧ ବିରୋଧରେ ଖୋର୍ଦ୍ଧା ପୁଲିସର କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ମଡେଲ ଥାନା ଅଧୀନ ପାନବରଜ ଅଞ୍ଚଳରେ ଜମି ପ୍ଲଟିଂ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ୫୦ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଧମକ ଦେଇଥିଲେ। ବ୍ୟବସାୟୀ ଦାଦାବଟି ଦେବାକୁ ମନା କରିବାରୁ ତାଙ୍କୁ ଅପହରଣ କରାଯିବା ସହ ପରେ ଗୁଳିମାଡ଼ କରାଯାଇଥିଲା। ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣାକୁ ଗୁରୁତ୍ୱର ସହ ନେଇ ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ମଡେଲ ଥାନା ଆଇଆଇସି ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାମଲାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ଦୁଇଟି କାର୍, ଏକାଧିକ ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରିଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଦାଦାବଟି ରାକେଟ୍ର ଅନ୍ୟ କୌଣସି ଲିଙ୍କ୍ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।












Leave a Reply