କେନ୍ଦୁଝରରେ ହାତୀପଲର ତାଣ୍ଡବ: ୧୯ଟିକିଆ ହାତୀପଲ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଗାଁରେ ଆତଙ୍କ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର। ବନ୍ୟ ହାତୀପଲର ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ପାଟଣା ବନାଞ୍ଚଳ ଅନ୍ତର୍ଗତ ଘୁଣ୍ଟିଜୁରୀ ଗ୍ରାମରେ ଘଟିଥିବା ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ମଦନ ନାୟକ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ୧୯ଟିକିଆ ବନ୍ୟ ହାତୀପଲ ଘୁଣ୍ଟିଜୁରୀ ଗ୍ରାମରେ ପଶି ବ୍ୟାପକ ଉପଦ୍ରବ ଚଳାଇଥିଲେ। ହାତୀପଲ ଫସଲ ଓ ଗ୍ରାମ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଁରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମଦନ ନାୟକ ହାତୀର ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ମଦନଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମଗ୍ର ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଘଟଣା ପରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଛି। ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ରାତି ସମୟରେ ଜଙ୍ଗଲ କିମ୍ବା ହାତୀ ଚଳପ୍ରଚଳ ଥିବା ଅଞ୍ଚଳକୁ ନ ଯିବାକୁ ଅନୁରୋଧ କରାଯାଇଛି। ବାରମ୍ବାର ବନ୍ୟ ହାତୀପଲ ଜନବସତି ମୁହାଁ ହେଉଥିବାରୁ କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ମଣିଷ-ହାତୀ ସଂଘର୍ଷ ବଢ଼ିଚାଲିଛି। ଏଭଳି ଘଟଣା ପୁଣିଥରେ ବନ୍ୟପ୍ରାଣୀ ପରିଚାଳନା ଏବଂ ଜନବସତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial