ଅକ୍ଷର ବ୍ୟୁରୋ: ସାଇବର ଅପରାଧର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ତାହାର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ସାଇବର ଅପରାଧ ତଦନ୍ତ, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଓ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଐତିହାସିକ ଚୁକ୍ତି ମାଧ୍ୟମରେ ସାଇବର ଅପରାଧ ତଦନ୍ତରେ ଆଧୁନିକ ଜ୍ଞାନକୌଶଳ, ଡିଜିଟାଲ ଫରେନ୍ସିକ ବିଶ୍ଳେଷଣ, ବୈଜ୍ଞାନିକ ପ୍ରମାଣ ସଂଗ୍ରହ ଏବଂ ତଦନ୍ତକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହା ଫଳରେ ସାଇବର ଅପରାଧ ମାମଲାର ତଦନ୍ତ ଅଧିକ ପ୍ରଭାବଶାଳୀ ଏବଂ ବୈଜ୍ଞାନିକ ହୋଇପାରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ୍” ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ପୋଲିସ ଅଧିକାରୀ ଓ ତଦନ୍ତକାରୀମାନଙ୍କୁ ଅତ୍ୟାଧୁନିକ ସାଇବର ତଦନ୍ତ ପ୍ରଣାଳୀ ଓ ଡିଜିଟାଲ ପ୍ରମାଣ ବିଶ୍ଳେଷଣ ସମ୍ପର୍କରେ ପ୍ରଶିକ୍ଷିତ କରାଯିବ। ବର୍ତ୍ତମାନ ସମୟରେ ସାଇବର ଠକେଇ, ଅନଲାଇନ୍ ଆର୍ଥିକ ଅପରାଧ ଓ ଡିଜିଟାଲ ଅପରାଧର ସଂଖ୍ୟା ବଢ଼ୁଥିବା ବେଳେ ଏହି ୫ ବର୍ଷିଆ ସହଯୋଗ ଚୁକ୍ତି ଓଡ଼ିଶା ପୋଲିସର ତଦନ୍ତ କ୍ଷମତାକୁ ନୂଆ ଦିଗ ଦେବା ସହ ଅପରାଧ ନିୟନ୍ତ୍ରଣରେ ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଛି।













Leave a Reply