ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଘଟଣା: ଦାୟିତ୍ୱରେ ଅବହେଳା ପାଇଁ ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ

ଅକ୍ଷର ବ୍ୟୁରୋ: ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଘଟଣାରେ କମିସନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ଡ୍ୟୁଟିରେ ଥିବା ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଦୁଇ କର୍ମଚାରୀ ହେଲେ ଡିସିଓ (DCO) ଓ ସେଣ୍ଟ୍ରି, ଯେଉଁମାନେ ଅଭିଯୁକ୍ତଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।

ସୂଚନା ଅନୁସାରେ, ଗତ ମାସ ୩୧ ତାରିଖ ସକାଳେ ମହିଳା ଥାନାର ଟଏଲେଟ୍ ବ୍ୟବହାର କରିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ରୁଦ୍ର ପ୍ରସାଦ ସୁତାର (୨୫) ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିଲା। ଫେରାର ଅଭିଯୁକ୍ତ ରୁଦ୍ର ପ୍ରସାଦ ସୁତାର ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସୁତାରଙ୍କ ପୁଅ। ସେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ପୁଲିସ ହେପାଜତରେ ଥିବା ବେଳେ ଏଭଳି ଭାବେ ଚମ୍ପଟ ମାରିଥିଲେ।

ଘଟଣାର ତଦନ୍ତ ପରେ ଦାୟିତ୍ୱରେ ଅବହେଳା ସ୍ପଷ୍ଟ ହେବାରୁ କମିସନରେଟ୍ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଡ୍ୟୁଟିରେ ଥିବା ଡିସିଓ ଓ ସେଣ୍ଟ୍ରିଙ୍କୁ ନିଲମ୍ବିତ କରିଛି। ପୁଲିସ ହେପାଜତରୁ ଜଣେ ଅଭିଯୁକ୍ତ ଫେରାର ହେବା ଘଟଣାକୁ କମିସନରେଟ୍ ପୁଲିସ ଗୁରୁତର ସୁରକ୍ଷା ତ୍ରୁଟି ଭାବେ ନେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୁଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଭବିଷ୍ୟତରେ ଏଭଳି ଅବହେଳା ନ ହେବାକୁ କମିସନରେଟ୍ ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial