ନିରାମୟରେ ବଡ଼ ଅବହେଳା! ରୋଗୀଙ୍କୁ ଦିଆଗଲା ଏକ୍ସପାଏରୀ ଔଷଧ, ଖାଇବା ପରେ ଅସୁସ୍ଥ ହେଲେ ନାବାଳକ

ଅକ୍ଷର ବ୍ୟୁରୋ: ସରକାରୀ ସ୍ୱାସ୍ଥ୍ୟସେବାରେ ଆଉ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିରାମୟ କେନ୍ଦ୍ରରୁ ଜଣେ ନାବାଳକଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତର କଥା ହେଉଛି, ଡାକ୍ତରଙ୍କ ପ୍ରେସକ୍ରିପସନରେ ଗୋଟିଏ ଔଷଧ ଲେଖାଯାଇଥିବା ବେଳେ ରୋଗୀଙ୍କୁ ଦିଆଯାଇଥିଲା ଅନ୍ୟ ଏକ ଔଷଧ, ଯାହାର ମିଆଦ ପୂର୍ବରୁ ସରିଯାଇଥିଲା। ସୂଚନା ଅନୁସାରେ, ବରଗଡ଼ ସହରର ୧ ନମ୍ବର ୱାର୍ଡ ନିଲିବନ୍ଦପଡ଼ାର ବାସିନ୍ଦା ଚୋବନ ସାହୁଙ୍କ ୧୫ ବର୍ଷୀୟ ପୁଅ ମୁକେଶଙ୍କ ହାତର ଆଙ୍ଗୁଠି କଟିଯାଇଥିଲା। ଚିକିତ୍ସା ପାଇଁ ସେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିରାମୟ କେନ୍ଦ୍ରରୁ ଔଷଧ ନେଇଥିଲେ।

ଅଭିଯୋଗ ଅନୁଯାୟୀ, ନିରାମୟରୁ ଦିଆଯାଇଥିବା ଔଷଧର ମିଆଦ ଗତ ମେ’ ୫ ତାରିଖରେ ଶେଷ ହୋଇସାରିଥିଲା। ଏହି ଏକ୍ସପାଏରୀ ଔଷଧ ସେବନ କରିବା ପରେ ମୁକେଶଙ୍କର ହଠାତ୍ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଏହାପରେ ପରିବାର ଲୋକ ଔଷଧ ଯାଞ୍ଚ କରିବା ସମୟରେ ଏହାର ମିଆଦ ସରିଯାଇଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ନିରାମୟ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଏବଂ ଔଷଧ ବଣ୍ଟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରୋଗୀଙ୍କୁ ନ ଦେଖି ଔଷଧ ଦିଆଯାଉଛି କି? ଏକ୍ସପାଏରୀ ଔଷଧ କିପରି ଷ୍ଟକ୍‌ରେ ରହିଲା ଏବଂ ତାହା ରୋଗୀଙ୍କ ହାତକୁ କିପରି ଗଲା, ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି। ରୋଗୀଙ୍କ ଜୀବନ ସହ ଏଭଳି ଅବହେଳା ସରକାରୀ ସ୍ୱାସ୍ଥ୍ୟସେବାର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial