ଅକ୍ଷର ବ୍ୟୁରୋ: ରାଜ୍ୟରେ ଆହୁରି କିଛି ଦିନ ବର୍ଷାର ପ୍ରଭାବ ଜାରି ରହିବ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିବର୍ତ୍ତନର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି।
ପାଣିପାଗ ବିଭାଗ ଅନୁସାରେ, ସତର୍କ ତାଲିକାରେ ଭୁବନେଶ୍ୱର ଓ କଟକ ସହ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼ ଓ କେନ୍ଦୁଝର ଭଳି ଜିଲ୍ଲା ରହିଛି। ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ଆଜି ନୁହେଁ, ଆସନ୍ତାକାଲି ପାଇଁ ମଧ୍ୟ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଅଗଷ୍ଟ ୬ ତାରିଖରେ ସମଗ୍ର ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଘୋଷଣା କରାଯାଇଥିବାରୁ ରାଜ୍ୟବ୍ୟାପୀ ବର୍ଷାର ପ୍ରଭାବ ଅଧିକ ବଢ଼ିପାରେ ବୋଲି ଆକଳନ କରାଯାଉଛି।
ପାଣିପାଗ ବିଭାଗ ବଜ୍ରପାତ ସମୟରେ ବିଶେଷ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନ ଯିବା, ଖୋଲା ସ୍ଥାନ ଓ ଗଛ ତଳେ ଆଶ୍ରୟ ନ ନେବାକୁ ଲୋକଙ୍କୁ ସଚେତନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା, ସହରାଞ୍ଚଳରେ ରାସ୍ତାରେ ପାଣି ଜମିବା ଏବଂ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ପରିସ୍ଥିତି ଉପରେ ପାଣିପାଗ ବିଭାଗ ନିରନ୍ତର ନଜର ରଖିଥିବା ବେଳେ ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ସତର୍କ ସୂଚନା ଜାରି କରାଯିବ।












Leave a Reply