ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ଆରମ୍ଭ: ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଯାତ୍ରା, ଜିଲ୍ଲାରେ ହାଇ ଆଲର୍ଟ

ଅକ୍ଷର ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ସେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି।

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ସ୍ୱାଗତ ବ୍ୟବସ୍ଥା କରାଯାଇଛି। ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କପଥରେ କାରକେଡ୍‌ ଯୋଗେ ତପ୍ତପାଣି ଅଭିମୁଖେ ଯିବେ। ସେଠାରେ ପ୍ରସିଦ୍ଧ ମା’ କନ୍ଧୁଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଧାର୍ମିକ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ବ୍ରହ୍ମପୁର ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ଏହି ଗସ୍ତକୁ ନେଇ ବ୍ରହ୍ମପୁର ସହର, ତପ୍ତପାଣି ଏବଂ ଗୋଳାବନ୍ଧ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରକୁ ନିଆଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତପଥରେ ଡଗ୍ ସ୍କ୍ୱାଡ୍‌, ବୋମା ନିଷ୍କ୍ରିୟକାରୀ ଦଳ, ମେଟାଲ ଡିଟେକ୍ଟର ଏବଂ ସଶସ୍ତ୍ର ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ କଡ଼ା ଯାଞ୍ଚ ସହ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କୌଣସି ପ୍ରକାର ଢିଲାପଣ ନ ରଖିବାକୁ ପ୍ରଶାସନ ସମସ୍ତ ସୁରକ୍ଷା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି।ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବେ। ତାଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ସମଗ୍ର ଜିଲ୍ଲାରେ ହାଇ ଆଲର୍ଟ ଜାରି ରହିଥିବା ବେଳେ ପ୍ରଶାସନ ଓ ପୁଲିସ ସମସ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial