ଅକ୍ଷର ବ୍ୟୁରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟର ପ୍ରଭାବରେ ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଏଥିସହ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଖୋଲା ସ୍ଥାନରେ ଅନାବଶ୍ୟକ ଭାବେ ନ ରହିବା, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ଏବଂ ଜଳବନ୍ଦୀ ପରିସ୍ଥିତି ହୋଇପାରୁଥିବା ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଛି। ମତ୍ସ୍ୟଜୀବୀ, ଚାଷୀ ଓ ସାଧାରଣ ଲୋକଙ୍କୁ ପାଣିପାଗ ସମ୍ବନ୍ଧୀୟ ସଦ୍ୟତମ ସୂଚନା ଉପରେ ନଜର ରଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।












Leave a Reply