ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଉପକୂଳ କ୍ଷୟ ଗମ୍ଭୀର ରୂପ ନେଉଥିବା ବେଳେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗାଁରେ ପରିସ୍ଥିତି ଏବେ ଚିନ୍ତାଜନକ ହୋଇପଡ଼ିଛି। ସମୁଦ୍ର ଧୀରେ ଧୀରେ କୂଳ ଲଙ୍ଘି ଗାଁ ଆଡ଼କୁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ଏପରିକି ଗାଁକୁ ସଂଯୋଗ କରୁଥିବା ରାସ୍ତା ଓ ଗଙ୍ଗାଦେବୀ ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।
ସ୍ଥାନୀୟଙ୍କ କହିବା ଅନୁଯାୟୀ, କିଛି ବର୍ଷ ପୂର୍ବରୁ ସମୁଦ୍ର ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିଲା। କିନ୍ତୁ ଲଗାତାର ଉପକୂଳ କ୍ଷୟ ଯୋଗୁଁ ବର୍ତ୍ତମାନ ସମୁଦ୍ର ମାତ୍ର ୫୦ ମିଟର ଦୂରତାରେ ପହଞ୍ଚିଯାଇଛି। ଗାଁର ଶେଷ ଭାଗରେ ଥିବା କୋଠାଘର, ଗଙ୍ଗାଦେବୀ ମନ୍ଦିର ଓ ରାସ୍ତା ସମୁଦ୍ର ଗର୍ଭରେ ମିଶିଯାଇଥିବାରୁ ଯେକୌଣସି ସମୟରେ ଆହୁରି ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି।
ଉପକୂଳ କ୍ଷୟର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀମାନେ ଦୀର୍ଘଦିନ ଧରି ବିଭିନ୍ନ ମଞ୍ଚରେ ଦାବି ଉଠାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ସମୁଦ୍ର କୂଳରେ ଏକ ସ୍ଥାୟୀ ଗାର୍ଡ ୱାଲ୍ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଜୋରଦାର ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ଜିଲ୍ଲାପାଳ ଜଳସେଚନ ବିଭାଗର ଅଧୀକ୍ଷକ ଯନ୍ତ୍ରୀଙ୍କୁ ବୈଷୟିକ ବିଶ୍ଳେଷଣ କରି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ଥାନୀୟ ଲୋକଙ୍କ ଆଶା, ଶୀଘ୍ର ସ୍ଥାୟୀ ପଦକ୍ଷେପ ନିଆଯାଇ ଆର୍ଯ୍ୟପଲ୍ଲୀକୁ ସମୁଦ୍ର କ୍ଷୟରୁ ସୁରକ୍ଷା ଦିଆଯିବ।












Leave a Reply