କଲେଜ କ୍ୟାମ୍ପସ୍‌ରେ ହାତୀ ଆତଙ୍କ: ଢେଙ୍କାନାଳରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଶିକ୍ଷାଦାନ ବାତିଲ

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ଭୁବନସ୍ଥିତ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ବୁଧବାର ଦୁଇଟି ବଣୁଆ ହାତୀ ପଶିଆସିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଲେଜରେ ପାଠପଢ଼ା ଚାଲିଥିବା ସମୟରେ ଗୋଟିଏ ଦନ୍ତା ଓ ଏକ ଗୁଣ୍ଠୁଣି ହାତୀ ହଠାତ୍ କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କରିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଏହି ସମୟରେ ଜଣେ ଅଧ୍ୟାପକ ନିଜ କାର୍‌ରେ କଲେଜ ପରିସର ଦେଇ ଯାଉଥିବା ବେଳେ ଦନ୍ତା ହାତୀଟି ହଠାତ୍ ଗାଡ଼ି ଆଡ଼କୁ ଆସି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ତେବେ ଅଧ୍ୟାପକ ଉପସ୍ଥିତ ବୁଦ୍ଧି ଓ କୌଶଳର ସହ ଗାଡ଼ିକୁ ସୁରକ୍ଷିତ ଭାବେ ସେଠାରୁ ବାହାର କରି ନିଜକୁ ବିପଦରୁ ରକ୍ଷା କରିଥିଲେ। ଅଳ୍ପକେ ଏକ ବଡ଼ ଅଘଟଣରୁ ସେ ବର୍ତ୍ତିଯାଇଥିବା ଜଣାପଡ଼ିଛି।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ତତ୍କ୍ଷଣାତ୍ ଅବଶିଷ୍ଟ ସମସ୍ତ କ୍ଲାସ୍ ବାତିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ କଲେଜ ପରିସର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଲେଜ ପରିସର ଖାଲି କରାଯାଇଥିବା ବେଳେ ହାତୀ ଦୁଇଟିର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। କଲେଜ ପରିସରରେ ବଣୁଆ ହାତୀଙ୍କ ଏଭଳି ଅନୁପ୍ରବେଶ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ଅଞ୍ଚଳକୁ ଘଉଡ଼ାଇବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ସାଧାରଣ ଲୋକଙ୍କୁ ହାତୀଙ୍କ ନିକଟକୁ ନଯିବା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial