ଅକ୍ଷର ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜର ସମାକୁପା ଗାଁରେ ଏକ ବାଘ ଗାଈକୁ ଶିକାର କରି ଖାଇଦେଇଥିବା ଅଭିଯୋଗ ଆସିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନଯିବାକୁ କଡ଼ା ସତର୍କବାଣୀ ଜାରି କରାଯାଇଛି।
ସୂଚନା ଅନୁଯାୟୀ, ସମାକୁପା ଗାଁର ଜଣେ ଗାଈଚରାଳି ପ୍ରତିଦିନ ପରି ଗୋରୁଗୁଡ଼ିକୁ ଚରାଇବା ପାଇଁ ଜଙ୍ଗଲକୁ ନେଇଥିଲେ। ସନ୍ଧ୍ୟାବେଳେ ଗୋରୁ ଫେରାଇବା ସମୟରେ ଗୋଟିଏ ଗାଈ ନଥିବା ଦେଖି ସେ ଖୋଜାଖୋଜି କରିଥିଲେ। ପରେ ଜଙ୍ଗଲ ଭିତରୁ ଗାଈର ମୃତଦେହ ମିଳିଥିବା ବେଳେ ନିକଟରେ ବାଘର ପାଦଚିହ୍ନ ମଧ୍ୟ ଠାବ କରାଯାଇଥିଲା।
ଖବର ପାଇ ବୌଦ୍ଧ ବନଖଣ୍ଡର କଣ୍ଟାମାଳ ରେଞ୍ଜ ଅଧିକାରୀ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରେ ମିଳିଥିବା ପାଦଚିହ୍ନକୁ ଆଧାର କରି ବାଘଟି କଲରାପତାରିଆ (Leopard) ହୋଇଥାଇପାରେ ବୋଲି ବନ ବିଭାଗ ସନ୍ଦେହ ପ୍ରକାଶ କରିଛି। ତେବେ ସ୍ପଷ୍ଟ ସୂଚନା ପାଇଁ ଅଧିକ ଯାଞ୍ଚ କରାଯାଉଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ସମାକୁପା ଓ ଆଖପାଖ ଗ୍ରାମବାସୀଙ୍କୁ ଅନାବଶ୍ୟକ ଭାବେ ଜଙ୍ଗଲକୁ ପ୍ରବେଶ ନ କରିବା, ଏକୁଟିଆ ଜଙ୍ଗଲ ଅଞ୍ଚଳକୁ ନଯିବା ଏବଂ ବନ୍ୟଜନ୍ତୁ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବାଘର ଗତିବିଧି ଉପରେ କଡ଼ା ନଜର ରଖାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବନ କର୍ମଚାରୀଙ୍କ ପାଟ୍ରୋଲିଂ ବଢ଼ାଯାଇଛି।












Leave a Reply