ଅକ୍ଷର ବ୍ୟୁରୋ: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜିଠାରୁ ଆନ୍ତର୍ଜାତିକ ଶିକ୍ଷା କୂଟନୀତିର କେନ୍ଦ୍ରବିନ୍ଦୁ ପାଲଟିବ। ଏଠାରେ ଆରମ୍ଭ ହେଉଛି ତିନିଦିନିଆ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ, ଯେଉଁଥିରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ। ଶିକ୍ଷା, ଦକ୍ଷତା ବିକାଶ, ନବସୃଜନ ଓ ବୈଶ୍ୱିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି, ଅଭିଜ୍ଞତା ବିନିମୟ ଓ ଭବିଷ୍ୟତ ପାଇଁ ଏକ ସାମୂହିକ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହେବ। ବିଶେଷକରି ଶିଶୁମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଶିକ୍ଷାର ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।
ତିନିଦିନିଆ ଏହି ସମ୍ମିଳନୀରେ ମୁଖ୍ୟତଃ ପାଞ୍ଚଟି ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା ହେବ। ସେଥିମଧ୍ୟରେ ବ୍ରିକ୍ସ ଟିଭିଇଟି (TVET) କୋଅପରେସନ୍ ଆଲାୟନ୍ସ ଅଧୀନରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ପ୍ରସାର, ସଦସ୍ୟ ଦେଶମାନଙ୍କ ମଧ୍ୟରେ ମିଳିତ ଗବେଷଣା, ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପରିବେଶକୁ ପ୍ରୋତ୍ସାହନ, ବିଭିନ୍ନ ଦେଶର ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତାକୁ ପରସ୍ପର ସ୍ୱୀକୃତି ଦେବା ପାଇଁ ସ୍ୱଚ୍ଛ ଓ ସରଳ ବ୍ୟବସ୍ଥା ଗଠନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଶାସନିକ ଓ ଶୈକ୍ଷିକ ନେତୃତ୍ୱକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ସାମିଲ ରହିଛି। ଏହି ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗର ଏକ ନୂଆ ଦିଗ ଖୋଲିବା ସହ ବିଶ୍ୱସ୍ତରରେ ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନ କ୍ଷେତ୍ରରେ ଭାରତ ଓ ଓଡ଼ିଶାର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।












Leave a Reply